ଭୋପାଳ:ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟିଫିନ ସେଣ୍ଟର କରିଥିବା ଜଣେ ବ୍ୟକ୍ତିଙ୍କୁ ଖାଦ୍ୟରେ ଟମାଟୋ ପକାଇବା ମହଙ୍ଗା ପଡିଛି । ଯାହାକୁ ନେଇ କଳହ ହେବା ପରେ ଘର ଛାଡି ଚାଲିଯାଇଛନ୍ତି ପତ୍ନୀ । ଏହା ପରେ ଘରୋଇ କଳହ ଥାନାରେ ପହଞ୍ଚିଛି । ଧନପୁରୀ ଥାନା ଅଞ୍ଚଳରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ମହଙ୍ଗା ମାଡ଼କୁ ନେଇ ଚର୍ଚ୍ଚାରେ ଥିବା ଟମାଟୋ ପାରିବାରିକ ଜୀବନରେ ଫାଟ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଟିଫିନ ସେଣ୍ଟର କରିଥିବା ସଞ୍ଜୀବ ଗ୍ରାହକଙ୍କ ପାଇଁ ପ୍ରତିଦିନ ଭଳି ଟିଫିନ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ ରହିଥିବାରୁ ଖାଦ୍ୟରେ ଟମାଟୋର ବ୍ୟବହାର କରିବାକୁ ସଞ୍ଜୀବଙ୍କ ପତ୍ନୀ ଆରତୀ ବାରଣ କରିଥିଲେ । ହେଲେ ପତ୍ନୀଙ୍କ ଉପଦେଶକୁ ନମାନି ସଞ୍ଜୀବ ତରକାରୀରେ ଟମାଟୋ ପକାଇଥିଲେ। ଏହା ଜାଣିବା ପରେ ଆରତୀଙ୍କ ରାଗ ଜର୍ଜରିତ ହୋଇ ସଞ୍ଜୀବଙ୍କୁ ଗାଳି କରିବା ସହ ଘର ଛାଡି ଚାଲିଯାଇଛନ୍ତି । ତେବେ ଆରତୀ ଶାଶୁଘର ଛାଡି ଉମରିଆରେ ରହୁଥିବା ନିଜ ଭଉଣୀଙ୍କ ଘରକୁ ଚାଲି ଯାଇଛନ୍ତି ।
ଅପରପକ୍ଷେ, ଆରତୀଙ୍କୁ ମନାଇବାକୁ ଲାଗି ପଡିଛନ୍ତି ସଞ୍ଜୀବ। ଆଉ ଜୀବନରେ କେବେ ବି ଖାଦ୍ୟ ପଦାର୍ଥରେ ଟମାଟୋର ବ୍ୟବହାର ନକରିବାକୁ ଶପଥ ନେଇଛନ୍ତି । ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଟମାଟୋକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ଖବର ଆସୁଥିବାବେଳେ ଘରୋଇ କଳହର ଏଭଳି ଅଜବ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟମାଟୋ ଯେ କାହାର ଘର ଭାଙ୍ଗିବାର କାରଣ ହୋଇପାରେ, ତାହା ସମସ୍ତଙ୍କୁ ଚକିତ କରିଛି ।