ହାଇଦ୍ରାବାଦ:ରାଜସ୍ଥାନରେ ଶାସନରେ ଥିବା କଂଗ୍ରେସରେ ଲାଗି ରହିଥିବା ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ସର୍ବଦା ସଚିନ ପାଇଲଟଙ୍କ ଅପେକ୍ଷା ଅଶୋକ ଗେହେଲଟଙ୍କୁ ଅଧିକ ପ୍ରାଧାନ୍ୟ ଦେଇଆସିଛି । କାରଣ ଗେହେଲଟ ହିଁ ଦୁର୍ନୀତି ଟଙ୍କାରେ କଂଗ୍ରେସକୁ ଅଧିକ ଲାଭବାନ କରିଛନ୍ତି । ଦଳର ସିନ୍ଧୁକ ଭରିଛନ୍ତି । ତେଣୁ କଂଗ୍ରେସରେ ଅଶୋକ ଗେହେଲଟଙ୍କ ସ୍ଥାନ ଅଧିକ ଗୁରୁତ୍ବପୂର୍ଣ୍ଣ ନେତା ଭାବେ ରହିଆସିଛି ।
ରାଜସ୍ଥାନ ଭରତପୁରରେ ଏକ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଛନ୍ତି, ପାଇଲଟ ଯେକୌଣସି କାରଣ ଦର୍ଶାଇ ଧାରଣାରେ ବସିଲେ ମଧ୍ୟ ତାଙ୍କ ସଂଖ୍ୟା ଆସିବନାହିଁ । କାରଣ କଂଗ୍ରେସ ଦଳର ଟ୍ରେଜରୀ ଭରିବାରେ ତାଙ୍କ ଠାରୁ ଗେହେଲଟଙ୍କ ଭୂମିକା ଅଧିକ ରହିଛି । ରାଜ୍ୟରେ ଗେହେଲଟଙ୍କ ସରକାର ଏକ ଦୁର୍ନୀତିର ହବରେ ପରିଣତ ହୋଇସାରିଛି । ରାଜ୍ୟବାସୀଙ୍କୁ ଲୁଟିବା ଜାରି ରଖିଛି କଂଗ୍ରେସ । ଲୁଟା ଯାଉଥିବା ସମ୍ପତ୍ତି ସବୁ କଂଗ୍ରେସର ସିନ୍ଧୁକକୁ ଯାଉଛି ବୋଲି ଶାହ କହିଥିଲେ ।
ସେହିପରି ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାରକୁ ଫେରିବାକୁ ଯାଉଛି । ରାଜ୍ୟରେ ଦୁଇ-ତୃତୀୟାଂଶ ବହୁମତ ସହ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେହିପରି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଦଳ ରାଜ୍ୟରେ ଶାସନକୁ ଫେରିବା ସହ ଆସନ୍ତାବର୍ଷ (2024) ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ରାଜସ୍ଥାନର ସମସ୍ତ 25 ଲୋକସଭା ଆସନ ହାତେଇବା ନେଇ ଶାହ କହିଥିଲେ ।