ଶ୍ରୀନଗର:କାଶ୍ମୀରରେ ଜନସଭାକୁ ସମ୍ବୋଧିତ କଲାବେଳେ ସୁରକ୍ଷା ଦୃଷ୍ଟିରୁ ସଭାମଞ୍ଚର ପୋଡିୟମରେ ଲାଗାଯାଇଥିବା ବୁଲେଟ ପ୍ରୁଫ ଗ୍ଲାସକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାଶ୍ମୀରବାସୀଙ୍କ ସହ ସିଧାସଳଖ କଥା ହେବା ପାଇଁ ସେ ଏଠାକୁ ଆସିଥିବା କହିବା ସହ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ବୁଲେଟ ପ୍ରୁଫ ଗ୍ଲାସକୁ ହଟାଇବାକୁ କହିଥିଲେ ଶାହା । ତେବେ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ତୁରନ୍ତ ତାହାକୁ ସମ୍ବୋଧନ ପୋଡିୟମରୁ ହଟାଇ ନେଇଥିଲେ । ପରେ ଗୃହମନ୍ତ୍ରୀ ଶାହା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଜନସଭାକୁ ସମ୍ବୋଧିତ କରିଥିଲେ । ତେବେ ଶାହାଙ୍କ ଏପରି ନିର୍ଦ୍ଦେଶ ପରେ ସେଠାରେ ଏକତ୍ରିତ ଜନସଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
3 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଗସ୍ତର ଆଜି ଶେଷ ଦିନ । ଆଜି( ସୋମବାର) ଶାହା ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଜନସଭାକୁ ସମ୍ବୋଧିତ କଲାବେଳେ କାଶ୍ମୀରବାସୀଙ୍କ ପ୍ରତି ଭରସା ଦେଖାଇବା ସହ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ବୁଲେଟ ପ୍ରୁଫ ଗ୍ଲାସ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜନସଭାକୁ ସମ୍ବୋଧିତ କରି ଶାହା କହିଥିଲେ, ୨୦୧୯ ପରେ ସେ ପ୍ରଥମ ଥର କାଶ୍ମୀର ଆସିଛନ୍ତି । ତେବେ କାଶ୍ମୀରର ବିକାଶକୁ ଶୀର୍ଷରେ ପହଞ୍ଚାଇବା ତାଙ୍କ ସରକାରର ଲକ୍ଷ୍ୟ । ୨୦୨୪ ରେ କାଶ୍ମୀରବାସୀ ହିଁ ସେହି ସଫଳତାର ସାକ୍ଷୀ ବନିବେ ।