ହାଇଦ୍ରାବାଦ:ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ତଥା ସାଧାରଣ ବଜେଟ୍ 2023-24 ଉପସ୍ଥାପନ କରିଛନ୍ତି । ତେବେ ମୋଟ 45 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ର ପାଇଁ ରଖାଯାଇଛି ବ୍ଯୟବରାଦ ରାଶି । ଅନେକ ଯୋଜନା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ଅର୍ଥ ଆବଣ୍ଟନ ଘୋଷଣା କରିଛନ୍ତି । ତେବେ କେଉଁ ମନ୍ତ୍ରଣାଳୟ କେତେ ଟଙ୍କାର ଅନୁଦାନ ରାଶି ପାଇଲେ ସେ ସମ୍ପର୍କରେ ନଜର ପକାନ୍ତୁ ।
ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ପ୍ରତିବର୍ଷ ପରି ପ୍ରତିରକ୍ଷା ମନ୍ତ୍ରଣାଳୟ ସର୍ବାଧିକ 5.94 ଲକ୍ଷ କୋଟି ଟଙ୍କାର ଅନୁଦାନ ରାଶି ଗ୍ରହଣ କରିଛି । ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ 5.94 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆର୍ଥିକ ବର୍ଷ 2023-24 ପାଇଁ ଏହି ଅର୍ଥରାଶି ଘୋଷଣା କରାଯାଇଛି । ଭାରତୀୟ ସଶସ୍ତ୍ର ବଳର ଆଧୁନିକୀକରଣ ସହ ଯନ୍ତ୍ରାଂଶ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ, ବିକଶିତ କରିବାରେ ଏହି ରାଶି ଖର୍ଚ୍ଚ ହେବ । ବର୍ତ୍ତମାନ ସମୟରେ ବୈଶ୍ବିକ ସ୍ଥିତିରେ ଦେଶର ପ୍ରତିରକ୍ଷା ବଜେଟ ଉପରେ ସମସ୍ତଙ୍କ ନଜର ରହିଥିଲା ।
ସେହିପରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ 2.70 ଲକ୍ଷ କୋଟି ଟଙ୍କା ମିଳିଛି । ଆର୍ଥିକ ରାଶି ପାଇବାରେ ଦ୍ବିତୀୟ ମନ୍ତ୍ରଣାଳୟ ଭାବେ ରହିଛି ପରିବହନ ରାଜମାର୍ଗ ମନ୍ତ୍ରଣାଳୟ । ସେହିପରି ତୃତୀୟ ସ୍ଥାନରେ ରହିଛି ଅନ୍ୟତମ ଭିତ୍ତିଭୂମି ସହ ଜଡିତ ଚର୍ଚ୍ଚିତ ରେଳ ମନ୍ତ୍ରଣାଳୟ । ରେଳ ମନ୍ତ୍ରଣାଳୟକୁ ମିଳିଛି 2.41 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ । ସେହିପରି ଗୃହ ମନ୍ତ୍ରଣାଳୟକୁ 1.96 ଲକ୍ଷ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟକୁ 2.06 ଲକ୍ଷ କୋଟି ଟଙ୍କାର ବ୍ୟବରାଦ ହୋଇଛି ।