ଭୋପାଳ: ମଦ ବ୍ୟାନ ପାଇଁ ସର୍ବଦା ଆନ୍ଦୋଳନ କରୁଥିବା ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଗୁରୁବାର ଦିନ ପୁଣି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ମଧ୍ୟପ୍ରଦେଶର ଓରଛା ନଗରୀରେ ଥିବା ଏକ ମଦ ଦୋକାନ ସାମ୍ନାରେ ଏକ ବୁଲା ଗାଈଙ୍କୁ ବାନ୍ଧିବା ସହ ଲୋକଙ୍କୁ ମଦ ଛାଡି କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା ଉଠାଇବା ଅନୁଚିତ ବୋଲି ସେ କହିଛନ୍ତି ।
ନିଓ୍ବାରି ଜିଲ୍ଲାର ଓରଛା ସହର ମନ୍ଦିର ପାଇଁ ପ୍ରସିଦ୍ଧ ରହିଛି । ତେବେ ଗୁରୁବାର ଦିନ ଉମା ଭାରତୀ ଭାରତରେ ନିର୍ମିତ ବିଦେଶୀ ମଦ ଦୋକାନ ସାମ୍ନାରେ ଏକ ବୁଲା ଗାଇକୁ ଆଣି ବାନ୍ଧି ଦେଇଥିଲେ । ଏହାପରେ ତାକୁ ଘାସ ଖାଇବା ପାଇଁ ଦେଇଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କୁ ମଦ ନୁହଁ ଦୁଗ୍ଧ ପିଅ ବୋଲି ସ୍ଲୋଗାନ ଦେଇଥିଲେ ।
ପ୍ରକାଶ ଥାଉକି, ୨୦୨୨ ମସିହା ମାର୍ଚ୍ଚ ମାସରେ ସେ ଭୋପାଳ ସ୍ଥିତ ଏକ ମଦ ଦୋକାନ ଉପରକୁ ଟେକା ଫିଙ୍ଗିଥିଲେ । ଏହାସହ ଜୁନ ମାସରେ ଏକ ମଦ ଦୋକାନ ବନ୍ଦ କରିବା ଦାବି ନଇ ଗୋବର ମଧ୍ୟ ଫିଙ୍ଗିଥିଲେ । ଏହି ଘଟଣାର ପୁନରାବୃତ୍ତି ଆଶଙ୍କା କରି ମଦ ଦୋକାନର ବିକ୍ରେତା ରାମପାଲ ତୁରନ୍ତ ଦୋକାନର ସଟର ପକାଇ ଦେଇଥିଲେ ।