ଶ୍ରୀନଗର:ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସେନାକୁ ସଫଳତା ମିଳିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ମାସିଲ୍ ସେକ୍ଟର ନିକଟବର୍ତ୍ତୀ ଏରିଆରେ ସେନା ଓ ସ୍ଥାନୀୟ ପୋଲିସର ମିଳିତ ଅପରେସନରେ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଛି । ଦୁଇ ଅନୁପ୍ରବେଶକାରୀ ପାକିସ୍ତାନ ପଟୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ଉଦ୍ୟମ ସମୟରେ ଟଳିଛନ୍ତି । ଅପରେସନରେ ଏକାଧିକ ମାରଣାସ୍ତ୍ର ଜବତ କରାଯାଇଛି ।
କୁପୱାରାର ଜିଲ୍ଲା ପୋଲିସ୍ ମୁଖପାତ୍ର ‘ଏକ୍ସ’ର ପୋଷ୍ଟ କରି କହିଛନ୍ତି ଯେ, ‘‘କୁପୱାରା ପୋଲିସ ଦ୍ବାରା ପ୍ରଦାନ କରାଯାଇଥିବା ଗୁଇନ୍ଦା ଇନପୁଟକୁ ଆଧାର କରି ମାଚାଲ ସେକ୍ଟରର କୁମକାଡିଆରିଆରେ ସେନା ଏବଂ ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ ଦୁଇଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ଅପରେସନ୍ ଏବେ ମଧ୍ୟ ଜାରି ରହିଛି ।’’
ପୋଲିସ ମୁଖପାତ୍ରଙ୍କ କହିବାନୁସାରେ, ଏନକାଉଣ୍ଟର ସ୍ଥାନରୁ ଦୁଇଟି AK-47 ରାଇଫଲ, 4ଟି ମାଗାଜିନ୍, 90 ରାଉଣ୍ଡ ଗୁଳି, ଗୋଟିଏ ପିସ୍ତଲ ସହିତ ପାକିସ୍ତାନୀ ମୁଦ୍ରା ମଧ୍ୟ ଜବତ କରାଯାଇଛି । ତେଣୁ ଏହି ଦୁଇ ଅନୁପ୍ରବେଶକାରୀ ପାକିସ୍ତାନୀ ଆତଙ୍କୀ ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି । ସେନା ଚଳିତ ମାସ ଆରମ୍ଭରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ LoC ନିକଟରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ 2ଜଣଙ୍କୁ ଅନୁପ୍ରବେଶକାରୀଙ୍କୁ ମଧ୍ୟ ନିପାତ କରିଥିଲା ।