ଭୋପାଳ: ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ମଙ୍ଗଳବାର ଘଟିଥିବା ବସ୍ ଦୁର୍ଘଟଣାରେ ନିଖୋଜ ଥିବା 3 ଜଣଙ୍କୁ ଖୋଜିବା ଲାଗି ଦୁଇ ଆର୍ମୀ ବୋଟକୁ ନିୟୋଜିତ କରାଯାଇଛି । 3 କିଲୋମିଟର ଲମ୍ବ ଟନେଲରେ ନିଖୋଜଙ୍କୁ ଖୋଜିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସେନା । ତେବେ ସେନାର ଦୁଇ ଅତ୍ୟାଧୁନିକ ବୋଟ ନିଖୋଜଙ୍କୁ ଠାବ କରିବା ପାଇଁ ଅଭିଯାନରେ ସାମିଲ ହୋଇଛନ୍ତି ।
ଗୁରୁବାର ସିଦ୍ଧ କଲେକ୍ଟର ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି ଯେ ଏହି ବସ୍ ଦୁର୍ଘଟଣାରେ ନିଖୋଜ ଥିବା ତିନିଜଣଙ୍କୁ ଖୋଜିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ସହିତ ଯୋଗାଯୋଗ କରାଯାଉଛି । ଏହି କେନାଲରେ 3 କିଲୋମିଟରରୁ ଅଧିକ ଲମ୍ବା ଏକ ଟନେଲ ରହିଥିବାବେଳେ ଅମ୍ଳଯାନ କମ ଥିବା ଜଣାପଡିଛି । ତଥାପି ନିଖୋଜ ବ୍ୟକ୍ତି ଏଥିରେ ଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଇ ଉକ୍ତ ଟନେଲରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଦୁଇ ଅତ୍ୟାଧୁନିକ ବୋଟକୁ ନିୟୋଜିତ କରାଯାଇଛି । ଜିଲ୍ଲାପାଳ ଚୌଧୁରୀ କହିଛନ୍ତି ଟନେଲରେ ସର୍ଚ୍ଚ ଅପରେସନ ବେଶ କଷ୍ଟ ପୂର୍ଣ୍ଣ ଥିବା ଯୋଗୁ ପ୍ରଶିକ୍ଷିତ ଉଦ୍ଧାରକାରୀଙ୍କ ଆବଶ୍ୟକତା ରହିଛି । ତେଣୁ ସେନାର ସହାୟତା ନିଆଯାଇଛି ବୋଲି ସେ ମତ ଦେଇଛନ୍ତି ।