ନୂଆଦିଲ୍ଲୀ: ବହୁ ପୁରାତନ ଅମଳର ଏକ ସୁଡଙ୍ଗ ଠାବ ହୋଇଛି । ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି ଏହି ସୁଡଙ୍ଗ । ବ୍ରିଟିଶ ଶାସନ ସମୟରେ ଏହି ଷୁଡଙ୍ଗ ତିଆରି ହୋଇଥିଲା । ବ୍ରିଟିଶମାନେ ଏହି ଷୁଡଙ୍ଗରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେଉଥିବା କହିଛନ୍ତି ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ । ବର୍ତ୍ତମାନ ଏହି ସ୍ଥାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବ୍ୟବହାର ହେବ ।
ନିୱାସ କହିଛନ୍ତି ଯେ, 'ସେ ଯେତେବେଳେ 1993ରେ ପ୍ରଥମ କରି ବିଧାୟକ ହୋଇଥିଲେ ସେତେବେଳେ ବିଧାନସଭାରୁ ଲାଲକିଲ୍ଲାକୁ ସଂଯୋଗ କରୁଥିବା ଏକ ସୁଡଙ୍ଗ ଅଛି ବୋଲି ଶୁଣିବାକୁ ପାଇଥିଲେ । ମାତ୍ର ସେତେବେଳେ ଏହାକୁ ନେଇ କୌଣସି ପ୍ରମାଣ ମିଳିପାରି ନ ଥିଲା । ବର୍ତ୍ତମାନ ଆମେ ସୁଡଙ୍ଗର ମୁହଁ ଦେଖିବାକୁ ପାଇଛୁ । କିନ୍ତୁ ସୁଡଙ୍ଗ ଖୋଳାଯାଇନାହିଁ । ରାସ୍ତା ନିର୍ମାଣ ଏବଂ ସ୍ବରେଜ ତିଆରି ସମୟରେ ସୁଡଙ୍ଗର ରାସ୍ତା ବନ୍ଦ ହୋଇଯାଇଛି ।'
ଏଥିସହ ଗୋଏଲ ମଧ୍ୟ କହିଛନ୍ତି ଯେ, 1912 କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେବାବେଳେ ଏହାକୁ କେନ୍ଦ୍ରୀୟ ବିଧାନସଭା ଭାବେ ବ୍ୟବହୃତ କରାଯାଉଥିଲା । ପରେ ୧୯୨୬ ମସିହାରେ ବର୍ତ୍ତମାନର ଦିଲ୍ଲୀ ବିଧାନସଭାକୁ ବ୍ରିଟିଶ ମାନେ କୋର୍ଟରେ ରୂପେ ବ୍ୟବହାର କରୁଥିଲେ ଏବଂ ଏହି ସୁଡଙ୍ଗ ଦେଇ ସ୍ବାଧିନତା ପାଇଁ ଲଢେଇ କରୁଥିବା ବୀର ସଂଗ୍ରାମୀ ଯୋଦ୍ଧାମାନଙ୍କୁ କୋର୍ଟରେ ହାଜର କରାଉଥିଲେ ।