ଓଡିଶା

odisha

ETV Bharat / bharat

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା ପରେ ହିଂସା, ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା - ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ହତ୍ଯା

ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣାରେ ପୁଣି ରାଜନୈତିକ ହିଂସା । ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରିବା ପରେ ହିଂସା । ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ଉତ୍ୟେକ୍ତ ଲୋକେ । ଅଧିକ ପଢନ୍ତୁ

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା ପରେ ହିଂସା, ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା
ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା ପରେ ହିଂସା, ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା

By ETV Bharat Odisha Team

Published : Nov 13, 2023, 9:59 PM IST

କୋଲକାତା:ପଶ୍ଚିମବଙ୍ଗରେ ପୁଣି ଥରେ ଦେଖିବାକୁ ମିଳିଛି ରାଜନୈତିକ ହତ୍ୟା ଓ ହିଂସାକାଣ୍ଡ । ଦକ୍ଷିଣ 24-ପ୍ରଗଣା ଜିଲ୍ଲାର ଜୟନଗର ଥାନା ଅନ୍ତର୍ଗତ ବାମନଗାଚି ଗ୍ରାମପଞ୍ଚାୟତରେ ଜଣେ ସ୍ଥାନୀୟ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାର ଶିକାର ହୋଇଥିବା ଟିଏମସି ନେତା ହେଉଛନ୍ତି 43 ବର୍ଷୀୟ ସୈଫୁଦ୍ଦିନ ଲସ୍କର । ସେ ଆଜି ସକାଳେ ନମାଜ ପାଠ କରିବା ପାଇଁ ଯିବା ବେଳେ ତାଙ୍କୁ ଦୁର୍ବୃତ୍ତ ଅତର୍କିତ ଗୁଳିମାଡ କରି ହତ୍ୟା କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ହିଂସା ଦେଖାଯାଇଥିଲା । ସ୍ଥାନୀୟ ଗ୍ରାମର ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ଉତ୍ୟେକ୍ତ ଲୋକେ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । କିଛି ଘରେ ମଧ୍ୟ ଉତ୍ୟେକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ସୂଚନା ଅନୁସାରେ, ମୃତ ଟିଏମସି ନେତା ସୈଫୁଦ୍ଦିନଙ୍କ ପତ୍ନୀ ସ୍ଥାନୀୟ ଗ୍ରାମପଞ୍ଚାୟତର ମୁଖ୍ୟ ରହିଛନ୍ତି । ସେ ନିଜେ ମଧ୍ୟ ଦଳର ଜୋନାଲ ସଭାପତି ଭାବେ ଦାୟିତ୍ବରେ ଥିଲେ । ରାଜନୈତିକ କାରଣରୁ ଆଜି ସକାଳେ ସେ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା । ସେ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଭେଟେରାନ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କ ଦେହାନ୍ତ, 9 ଥର ହୋଇଥିଲେ ସାଂସଦ

ଏକଥା ଜଣାପଡିବା ପରେ ସ୍ଥାନୀୟ ଲୋକେ ଉକ୍ତ ଗ୍ରାମର କିଛି ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଆକ୍ରମଣ କରିଥିଲେ । ଏକାଧିକ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଉତ୍ୟେକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଏହି ଘଟଣାରେ 5 ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ଭାବେ ପୋଲିସ କହିଛି । ସେହିପରି ଉତ୍ୟେକ୍ତ ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ସନ୍ଦିଗ୍ଧ ଅଭିଯୁକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ କି ନୁହେଁ, ପୋଲିସର ତଦନ୍ତ ପରେ ଜଣାପଡିବ । ପୋଲିସ ଟିଏମସି ନେତାଙ୍କ ହତ୍ୟା ସମ୍ପର୍କିତ ଏକ ମାମଲା ରୁଜୁ କରିବା ସହ ପରବର୍ତ୍ତୀ ହିଂସାରେ ହୋଇଥିବା ହତ୍ୟାକାଣ୍ଡ ନେଇ ମଧ୍ୟ ଏକ ମାମଲା ରୁୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details