ନୂଆଦିଲ୍ଲୀ:ଦେଶରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ଏହା ସହ ତାଳ ଦେଇ ବୃଦ୍ଧି ପାଉଛି । ସେପଟେ ମହାମାରୀ ପ୍ରସାର ରୋକିବାକୁ ଦେଶରେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି । ସୋମବାର ଦେଶରେ ମୋଟ 14 ଲକ୍ଷ 79 ହଜାର 592 ଜଣ ଟିକା ନେଇଛନ୍ତି । ଯାହାକୁ ମିଶାଇ ଏଯାବତ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା 18 କୋଟି 44 ଲକ୍ଷରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେ 17 ତାରିଖ ଅର୍ଥାତ୍ ସୋମବାର ରାତି 8ଟା ସୁଦ୍ଧା ରେକର୍ଡ ରିପୋର୍ଟ ମୁତାବକ ଦେଶରେ ଏ ପର୍ଯ୍ୟନ୍ତ କୋଭିଡ ଟିକାର 18 କୋଟି 44 ଲକ୍ଷ 22 ହଜାର 218 ଡୋଜ ଲୋକଙ୍କୁ ଦିଆଯାଇଛି । ସେଥିମଧ୍ୟରେ 96 ଲକ୍ଷ 58 କୋଟି 913 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିପରି 66 ଲକ୍ଷ 52 ହଜାର 200 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି ।