ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପୁଣି କଡ ଲେଉଟାଣି କୋଭିଡ ସଂକ୍ରମଣ । ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି 4ର୍ଥ ଲହର ଆଶଙ୍କାକୁ ବଢାଇବାରେ ଲାଗିଛି । ଆଜି ଦିଲ୍ଲୀରେ ଫେସ ମାସ୍କ ପରିଧାନକୁ ପୁଣି ବାଧ୍ୟତାମୂଳକ କରାଯାଇଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ କୋହଳ କରାଯାଇଥିବା କୋଭିଡ କଟକଣା ପୁନଃ ଲାଗୁ କରିବା ପରି ସ୍ଥିତି ଦେଖାଯିବା ସହ ବିଚାର ବିମର୍ଶ ଆରମ୍ଭ ହେଲାଣି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ସୂଚନା ଦେଇଛନ୍ତି ଶୀର୍ଷ କୋଭିଡ ଗବେଷକ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧିକୁ ଦେଖି 4ର୍ଥ ଲହର ନେଇ ଚିନ୍ତାପ୍ରକଟ କରିବାର କୌଣସି ଆବଶ୍ଯକତା ନଥିବା କହିଛନ୍ତି, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା.ଆର. ଗଙ୍ଗାଖେଦକର ।
ଡାକ୍ତର ଖେଦକର କହିଛନ୍ତି , ବର୍ତ୍ତମାନ ସ୍ଥିତି ସାମାନ୍ୟ ଚିନ୍ତା ନିଶ୍ଚିତ ବଢାଇଛି, କିନ୍ତୁ 4ର୍ଥ ଲହର ଆସିବା ପରି କୌଣସି ଗମ୍ଭୀର ଆଶଙ୍କା ପରିଲକ୍ଷିତ ହେଉନାହିଁ । କିନ୍ତୁ ବର୍ତ୍ତମାନ ସମଗ୍ର ବିଶ୍ବରେ BA.2 ଭ୍ୟାରିଆଣ୍ଟର ଉପସ୍ଥିତି ରହିଛି, ଯାହା ପ୍ରତ୍ୟେକ ଦିନ ମଣିଷକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ କଟକଣା କୋହଳ ହୋଇଛି । ସ୍କୁଲ,କଲେଜ ଓ ସର୍ବସାଧାରଣ ସ୍ଥାନ ଖୋଲିବା ପରେ ସାମାଜିକ ଏକତ୍ରୀକରଣ ମଧ୍ୟ ବଢିଛି । ଯାହା ସାମାନ୍ୟ ଚିନ୍ତା ବଢାଇଛି ।