ହାଇଦ୍ରାବାଦ:ଆଜି ୬ଟି ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ । ଉତ୍ତର ପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର ଆସନ, ପଶ୍ଚିମବଙ୍ଗର ଧୁପଗୁଡି ଏବଂ କେରଳର ପୁତୁପ୍ପଲ୍ଲୀ ଆସନରେ ଆଜି ଉପନିର୍ବାଚନ ମତଦାନ ହେଉଛି । ଯାହାକି ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ଓ ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟରେ ପ୍ରଥମ ନିର୍ବାଚନୀ ଲଢେଇ ଭାବେ ଦେଖାଯାଉଛି । କାରଣ ଇଣ୍ଡିଆ ମେଣ୍ଟ ଗଠନ ପରେ କୌଣସି ରାଜ୍ୟରେ ଏହା ପ୍ରଥମ ନିର୍ବାଚନ । ଆସନ୍ତା ୮ ତାରିଖରେ ଉପନିର୍ବାଚନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
୪ ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ହେଉଛି । ଧୁପଗୁଡି ଓ ପୁତୁପ୍ପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି । ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନଙ୍କ ଇସ୍ତଫା ପରେ ଘୋଷି ବିଧାନସଭା ଆସନ ଖାଲି ପଡିଥିଲା । ଦାରା ସିଂହ ସପା ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏଠାରେ ବିଜେପି ଦାରା ସିଂହ ଚୌହାନଙ୍କୁ ପ୍ରାର୍ଥୀ କରିଥିବାବେଳେ ସପାରୁ ସୁଧାକର ସିଂହ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉପନିର୍ବାଚନରେ ମାୟାବତୀଙ୍କ ବିଏସପି କୌଣସି ପ୍ରାର୍ଥୀ ଦେଇନାହିଁ ।
ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ(ଏମ୍) ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି । ଝାଡଖଣ୍ଡର ଜେଏମଏମ ବିଧାୟକ ଜଗନ୍ନାଥ ମହତୋଙ୍କ ଦେହାନ୍ତ ପରେ ଡୁମରି ଆସନରେ ଉପନିର୍ବାଚନ ହେଉଛି । ଏଠାରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।