ଓଡିଶା

odisha

ETV Bharat / bharat

ନନ୍ଦିଗ୍ରାମରୁ ଲଢିବେ ମମତା, ବିଜେପିକୁ ଦିଦିଙ୍କ ଖୋଲା ଚ୍ୟାଲେଞ୍ଜ - West Bengal assembly election

ଶାସକ ତୃଣମୂଳ କଂଗ୍ରେସ 291 ଜଣିଆ ପ୍ରାର୍ଥୀ ତାଳିକା ଜାରି କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଗାମୀ ନିର୍ବାଚନରେ ନିଜ ପରମ୍ପରାଗତ ଆସନ ପରିବର୍ତ୍ତେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ । ଅଧିକ ପଢନ୍ତୁ ...

Mamata Banarjee
ନନ୍ଦିଗ୍ରାମରୁ ଲଢିବେ ମମତା

By

Published : Mar 5, 2021, 7:13 PM IST

କୋଲକାତା:ପଶ୍ଚିମ ବଙ୍ଗ ବିଧାନସବା ନିର୍ବାଚନ ପାଇଁ ଆଜି (ଶୁକ୍ରବାର) ଶାସକ ତୃଣମୂଳ କଂଗ୍ରେସ 291 ଜଣିଆ ପ୍ରାର୍ଥୀ ତାଳିକା ଜାରି କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଗାମୀ ନିର୍ବାଚନରେ ନିଜ ପରମ୍ପରାଗତ ଆସନ ପରିବର୍ତ୍ତେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ । ଏକାକି 291 ଆସନରେ ଟିଏମସି ନିର୍ବାଚନ ଲଢୁଥିବା ବେଳେ ସହଯୋଗୀ ଦଳଙ୍କୁ 3 ଟି ଆସନ ଛାଡିଦେଇଛି ।

ତେବେ ପ୍ରାର୍ଥୀ ତାଳିକା ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଯୋରଦାର ଢଙ୍ଗରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ 20 ରାଲି ବଦଳରେ 120 ରାଲି କରନ୍ତୁ । ଆମେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଲଢେଇ କରିବୁ ।

ମମତା ବାନାର୍ଜୀ ବିଜେପିକୁ ଖୋଲା ଆହ୍ବାନ ଦେଇ କହିଛନ୍ତି ନିର୍ବାଚନ 8 ପର୍ଯ୍ୟାୟରେ ହେଉକି 294 ପର୍ଯ୍ୟାୟରେ ହେଉ । ଅମିତ ଶାହା ଆମ ଠାରୁ ଜିତି ପାରିବେ ନାହିଁ । ମମତା ଆହୁରି କହିଛନ୍ତି ରାଜ୍ୟରେ, ଜାମ୍ମୁ କାଶ୍ମୀରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଥିବା ଫୋର୍ସ ମୁତୟନ କରନ୍ତୁ କିନ୍ତୁ ବିଜୟ କେବଳ ଟିଏମସିର ହେବ । ବିଜେପି ଏମିତି ପରାସ୍ତ ହେବ ଯେ ଆଉ କେବେ କେଉଁଠି ମଧ୍ୟ ଅମିତ ଶାହା ନିର୍ବାଚନ ଲଢିବାକୁ ଚିନ୍ତା କରିବେ ନାହିଁ ବୋଲି କହିଛନ୍ତି ମମତା ।

ନନ୍ଦିଗ୍ରାମରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା

ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ନିଜ ପରମ୍ପରାଗତ ଆସନ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମକୁ ଓହ୍ଲାଇଛନ୍ତି । କାରଣ ନନ୍ଦିଗ୍ରାମ ହେଉଛି ପୂର୍ବତନ ଟିଏମସି ନେତା ତଥା ବର୍ତ୍ତମାନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ । ଶୁଭେନ୍ଦୁ ବିଜେପିକୁ ଯିବା ପରେ ଟିଏମସିର ଉପସ୍ଥିତିକୁ ଆହୁରି ଶକ୍ତ କରିବା ପାଇଁ ଖୋଦ ମମତା ନନ୍ଦିଗ୍ରାମ ମଙ୍ଗ ଧରିଛନ୍ତି । ସେହିପରି ମମତା କହିଛନ୍ତି ଦଳ 9 ମାର୍ଚ୍ଚରେ ନିର୍ବାଚନୀ ଇସ୍ତାହାର ଜାରି କରିବ ।

ଫିଲ୍ମ ଷ୍ଟାରଙ୍କ ଠାରୁ କ୍ରିକେଟରଙ୍କ ପର୍ଯ୍ୟନ୍ତ ପାଇଲେ ଟିକେଟ

ଟିଏମସି ଆଜି ଘୋଷଣା କରିଥିବା 291 ଆସନ ମଧ୍ୟରୁ 50 ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ ଦେଇଥିବା ବେଳେ 42 ଟି ଆସନରେ ମୁସଲିମ ସମ୍ପ୍ରଦାୟରୁ ଦେଇଛି । କାରଣ ରାଜ୍ୟରେ ପ୍ରାୟ ପାଖାପାଖି 30 ପ୍ରତିଶତ ଭୋଟ ହେଉଛି ମୁସଲିମ । ସେହିପରି 79 ଟି ଆସନରେ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ବେଳେ 17 ଟି ଆସନରେ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇଛି । ସେହିଭଳି ଚଳିତ ଥର ଅଧିକ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଟିକେଟ ଦେଇଛନ୍ତି ଦିଦି । କ୍ରିକେଟର ମନୋଜ ତିୱାରୀଙ୍କୁ ଶିବପୁର, ଅଭିନେତ୍ରୀ କଞ୍ଚନ ମଲିକଙ୍କୁ ଉତ୍ତରପାଡାରେ ଟିକେଟ ମିଳିଛି ।

ସୂଚନାଯୋଗ୍ୟଯେ 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 8 ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ 27 ମାର୍ଚ୍ଚକୁ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ 1 ଏପ୍ରିଲ, ତୃତୀୟ ପର୍ଯ୍ୟାୟ 6 ଏପ୍ରିଲ, ଚତୁର୍ଥ ପର୍ଯ୍ୟାୟ 10 ଏପ୍ରିଲ, ପଞ୍ଚମ ପର୍ଯ୍ୟାୟ 17 ଏପ୍ରିଲ, ଷଷ୍ଠ ପର୍ଯ୍ୟାୟ 22 ଏପ୍ରିଲ, ସପ୍ତମ ପର୍ଯ୍ୟାୟ 26 ଏପ୍ରିଲ ଓ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ 29 ଏପ୍ରିଲରେ ହେବ । ମେ 2 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details