ପେଟ୍ରୋଲ,ଡିଜେଲ ଏବଂ ଏଲପିଜିର ମାତ୍ରାଧିକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବିଶେଷ ଭାବେ ପ୍ରଭାବିତ କରିଛି। ଖାଇବା ତେଲର ଆକାଶଛୁଆଁ ଦର ଏବଂ ମସୁର ଡାଲି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବର୍ଦ୍ଧିତ ଦର ଗୃହିଣୀଙ୍କ ଆଖିରେ ଲୁହ ଆଣି ଦେଇଛି। ଏହା ପ୍ରତି ଘରର ବଜେଟ୍ ଓଲଟପାଲଟ କରି ଦେଇଛି। ସରକାରଙ୍କ ଯୁକ୍ତି ହେଉଛି, ଗତବର୍ଷ ଅକ୍ଟୋବର ମାସର ମୂଲ୍ୟସୂଚୀ ତୁଳନାରେ ଏବର୍ଷ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରିତ ରହିଛି। ପେଟ୍ରୋଲିୟମ ସାମଗ୍ରୀ ଦର ବୃଦ୍ଧି କାରଣରୁ ସାଧାରଣ ସାମଗ୍ରୀର ଦର ଉପରେ ଏହାର କିଛିଟା ପ୍ରଭାବ ପଡ଼ିଛି। ଖାଇବା ତେଲ ଲିଟର ପିଛା ଦର 150 ଟଙ୍କା ଟପି ଯାଇଥିବା ବେଳେ ହରଡ଼ ଡାଲି ଦର କେଜି ପିଛା 100 ଟଙ୍କା ଟପିଯାଇଛି। ତେନ୍ତୁଳି ଦର ମଧ୍ୟ ଆକାଶଛୁଆଁ ହେଲାଣି। ବଢୁଥିବା ବଜାର ଦର ଲୋକଙ୍କ କ୍ରୟ କ୍ଷମତାକୁ ସୀମିତ କରି ସାରିଲାଣି।
ମାତ୍ର ଗୋଟିଏ ମାସ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର 37 ପ୍ରତିଶତ ଦରବୃଦ୍ଧି ହୋଇଛି। ଖାଇବା ତେଲ ଉପରେ ଆମଦାନୀ ଶୁଳକ ହ୍ରାସ କରାଯାଇଛି, ହେଲେ ପେଟ୍ରୋଲିୟମ ଦର ବୃଦ୍ଧି କାରଣରୁ ଖାଉଟୀଙ୍କୁ ଏହାର ସୁଫଳ ମିଳିନାହିଁ। ଫଳରେ ମାତ୍ର ଗୋଟିଏ ମାସରେ ଖାଇବା ତେଲ ଦର 35 ପ୍ରତିଶତ ବୃଦ୍ଧି ପାଇଛି। ମ୍ୟାଁମାରରେ ରାଜନୈତିକ ସଂକଟ ଯୋଗୁଁ ସେଠାରୁ ଭାରତର ବିରି ଆମଦାନୀ ମୋଟ ଉପରେ ପ୍ରଭାବିତ ହୋଇଛି। ଏହାଦ୍ବାରା ଘରେ ଘରେ ପ୍ରସ୍ତୁତ ହେଉଥିବା ଇଡଲି ଏବଂ ଦୋସା ବହୁ ଗୁଣରେ ମହଙ୍ଗା ହୋଇଯାଇଛି। ଭାରତର ଖାଇବା ତେଲ ଆବଶ୍ୟକତାର 70 ପ୍ରତିଶତରୁ ଅଧିକ ପରିମାଣ ବିଦେଶରୁ ଆମଦାନୀ ହୋଇଥାଏ। ଖାଇବା ତେଲ ଆମଦାନୀ କରୁଥିବା ଇଣ୍ଡୋନେସିଆ ଏବଂ ମାଲେସିଆରେ ପାମ୍ଅ ଏଲ୍ ଫିଲଡରେ ଶ୍ରମିକ ଅଭାବ ଏବଂ ସୋୟାବିନ ଉତ୍ପାଦନ କରୁଥିବା ଆର୍ଜେଣ୍ଟିନାରେ ମରୁଡି କାରଣରୁ ଭାରତକୁ ଏବେ ଅନେକ ମୂଲ୍ୟ ଦେବାକୁ ପଡୁଛି।
ୟୁକ୍ରେନରେ ସନଫ୍ଲାୱାର ଅମଳ କମି ଥିବାରୁ ଏହାର ପ୍ରଭାବ ସେଠାରୁ ଭାରତର ଖାଇବା ତେଲ ଆମଦାନୀ ଉପରେ ପଡୁଛି। ଆମେରିକା ପରେ ଭାରତ ବିଶ୍ବର ଦ୍ବିତୀୟ ରାଷ୍ଟ୍ର ଯେଉଁଠି କି ସର୍ବାଧିକ ପରିମାଣର ଚାଷ ଜମି ରହିଛି। ତଥାପି ଭାରତକୁ ଖାଇବା ତେଲ ଏବଂ ଡାଲି ଜାତୀୟ ଖାଦ୍ୟଶସ୍ୟ ପାଇଁ ଛୋଟ ଛୋଟ ରାଷ୍ଚ୍ର ଉପରେ ନିର୍ଭର କରିବାକୁ ପଡୁଛି। ଭାରତକୁ ତାହାର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଯେତେବେଳେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡୁଛି, କିପରି ଦେଶ ଆତ୍ମ ନିର୍ଭରତା ହାସଲ କରିବ ? ଭାରତକୁ ଯେତିକି ଅଶୋଧିତ ତୈଳ ଆବଶ୍ୟକ ତାହାର 80 ପ୍ରତିଶତ ଆମଦାନୀ କରିବାକୁ ପଡିଥାଏ। ଦେଶର ସୀମିତ ପ୍ରାକୃତିକ ବ୍ୟବସ୍ଥା ପରିପ୍ରେକ୍ଷିରେ ଏହା ସହଜରେ ବୁଝି ହେଉଛି। ହେଲେ ଏକ କୃଷିପ୍ରଧାନ ଦେଶ ଭାବେ ସାରା ବିଶ୍ବରେ ରହିଥିବାର ଖ୍ୟାତି ସହିତ ଭାରତରେ ଚାଷୀମାନେ ଜମିରୁ ସୁନା ଫଳାଇବାର ସାମର୍ଥ୍ୟ ରଖିଥିବା ସତ୍ତ୍ବେ ଆମକୁ ଖାଦ୍ୟ ସାମଗ୍ରୀ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି ତାହା କିପରି କହିପାରିବା ?
1961ରେ ବିଶ୍ବର ମୋଟ ଖାଇବା ତେଲ ଆମଦାନୀ ପରିମାଣରୁ ଭାରତର ଅଂଶ ଥିଲା ମାତ୍ର 0.9ପ୍ରତିଶତ। ବର୍ଷ 2019 ବେଳକୁ ଏହି ହାର ବୃଦ୍ଧି ପାଇ ବିଶ୍ବ ବ୍ୟାପୀ ମୋଟ ଆମଦାନୀର 12 ପ୍ରତିଶତରେ ପହଞ୍ଚିଥିଲା। ଖାଇବା ତେଲ ଆମଦାନୀ ନେଇ ଦେଶ 65 ହଜାର କୋଟିରୁ 70 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏସବୁ ଅର୍ଥ ବାସ୍ତବରେ ଦେଶର ଚାଷୀଙ୍କର ହେବା ଉଚିତ୍। କୃଷି ସଂସ୍କାର ଆଇନ ଭାରତର କୃଷି ସାମର୍ଥ୍ୟ ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଯେତେବେଳେ କହିଛନ୍ତି, ହୁଏତ ଚାଷୀ ସମୁଦାୟ ତାଙ୍କ କଥା ଉପରେ ଭରସା ରଖିନାହାଁନ୍ତି। ଦେଶର 10 କୋଟି 75 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ 1 ଲକ୍ଷ 15 ହଜାର କୋଟି ଟଙ୍କା ଡାଇରେକ୍ଟ ଟ୍ରାନ୍ସଫର ହୋଇଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି, ହେଲେ ଚାଷୀ ଓ ରୟତମାନେ ସରକାରଙ୍କଠାରୁ ଏଭଳି ପ୍ୟାକେଜ ଆଶା କରୁନାହାଁନ୍ତି। ଚାଷୀ ଚାହାଁନ୍ତି, ବର୍ଷକର କଠିନ ପରିଶ୍ରମ ପରେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ କିପରି ମିଳିବ ସେ ଦିଗରେ ସରକାର ଚିନ୍ତା କରିବା ଦରକାର। ଅଧିକ କଷ୍ଟ ସାଙ୍ଗକୁ ଏଥିରେ କ୍ଷତିର ସମ୍ଭାବନା ଅଧିକ ଥିବାରୁ ବହୁ ସଂଖ୍ୟାରେ ଚାଷୀ ଚାଷକାମ ଛାଡ଼ି ସାରିଲେଣି। ଫଳରେ ଦେଶର ସହର ଆଖପାଖରେ ଥିବା ଚାଷ ଜମି ରିଆଲ ଇଷ୍ଟେଟ ଉଦ୍ୟୋଗରେ ପରିଣତ ହୋଇଗଲାଣି।
ଖାଦ୍ୟ ଉତ୍ପାଦନରେ ଦେଶ ଆତ୍ମ ନିର୍ଭର ହୋଇପାରିଛି ବୋଲି ମିଥ୍ୟା ସନ୍ତୋଷ ଲାଭ ନକରି ଭାରତ ଏଥିରୁ ବାହାରି ଆସିବା ଉଚିତ୍। ଦେଶକୁ ଶସ୍ୟ ଶ୍ୟାମଳା କରିବା ସକାଶେ ଚାଷୀଙ୍କୁ ସମସ୍ତ ସମର୍ଥନ ଯୋଗାଇ ଦେବାର ବେଳ ଆସି ପହଞ୍ଚିଛି। ଭାରତରେ ଯଦି ଖାଦ୍ୟ ସଂକଟ ଦେଖାଦିଏ ତେବେ ଏତେ ବଡ଼ ବିଶାଳ ଦେଶ ଏବଂ ଏହାର ଜନସଂଖ୍ୟାକୁ କୌଣସି ଦେଶ ସହାୟତା କରିପାରିବ କି ? ଏଇଥିପାଇଁ ଖାଦ୍ୟ ଶସ୍ୟ ଅମଳ ବଢାଇବାକୁ ଚାଷୀଙ୍କୁ ସହଯୋଗ କରିବା ପାଇଁ ଏକ ବ୍ୟାପକ ଜାତୀୟ ରଣନୀତି ଗ୍ରହଣ କରିବାର ସମୟ ଆସି ପହଞ୍ଚିଛି। ଏହାଦ୍ବାରା ହିଁ ଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ।