ମୁମ୍ବାଇ:ମାୟାନଗରୀ ମୁମ୍ବାଇରେ ପୁଣି ଆତଙ୍କୀ ଆକ୍ରମଣ ପାଇଁ ଧମକ । ଟ୍ବିଟରରେ ପୋଲିସ ଏପରି ଆକ୍ରମଣ ଧମକ ପାଇବା ପରେ ଆକ୍ସନ ମୋଡକୁ ଆସିଛି । 26/11 ପରି ଆକ୍ରମଣ ଘଟାଇବା ପାଇଁ ଉକ୍ତ ଟ୍ବିଟରରେ ବାର୍ତ୍ତାରେ ଧମକ ରହିଛି । ପୋଲିସ ଏହି ଟ୍ବିଟର ହ୍ୟାଣ୍ଡେଲକୁ ଯାଞ୍ଚ କରୁଛି । ପୋଲିସର ସାଇବର ସେଲ ଏହି ଟ୍ବିଟର ହ୍ୟାଣ୍ଡେଲ ଓ ପଠାଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଲାଗିଛନ୍ତି । ଏହି ଧମକପୂର୍ଣ୍ଣ ବାର୍ତ୍ତା ଗୁଜୁରାଟର ଜଣେ ବ୍ୟବହାରକାରୀଙ୍କ ନାମରେ ଆସିଥିବା ପ୍ରାଥମିକ ଭାବେ ପୋଲିସ କହିଛି ।
ଏପରି ଧମକ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ବଢିଛି । ଉପକୂଳରେ ସୁରକ୍ଷା ଓ ପାଟ୍ରୋଲିଂକୁ ବଢାଯାଇଛି । କୌଣସି ସନ୍ଦେହଜନକ ଗତିବିଧି ଉପରେ କଡା ନଜର ରଖାଯାଇଛି । ସାମୁଦ୍ରିକ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । ମିଳିଥିବା ଧମକପୂର୍ଣ୍ଣ ଟ୍ବିଟ୍ ସମ୍ପର୍କରେ ତଥ୍ୟ ଏକାଠି କରିବା ଜାରି ରହିଥିବା ପୋଲିସ କହିଛି । ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା । ତାଲିବାନ ସହ ଜଡିତ କିଛି ଆତଙ୍କୀ ଗୋଷ୍ଠୀ ମୁମ୍ବାଇରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଉକ୍ତ ଧମକପୂର୍ଣ୍ଣ ମେଲରେ ଉଲ୍ଲେଖ ରହିଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଣି ଏକ ଧମକପୂର୍ଣ୍ଣ ଟ୍ବିଟ୍ ପାଇଛି ମୁମ୍ବାଇ ପୋଲିସ । ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ଏପଟେ ପ୍ରତିକ୍ରିୟାରେ ମୁମ୍ବାଇ ପୋଲିସ କହିଛି, ଆମେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦେବା ପାଇଁ ସକ୍ଷମ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ପାଇଁ ଆମେ ସର୍ବଦା ପ୍ରସ୍ତୁତ ।