ଗାନ୍ଧୀନଗର: ଜୁନାଗଡରେ ନକଲି ବିଧାୟକଙ୍କ ପରେ ପୁଣି ଧରା ପଡ଼ିଛି ନକଲି ପୋଲିସ ଅଧିକାରୀ । ଏହି ନକଲି ଅଧିକାରୀଙ୍କ ନାଁ ବିନିତ ଦବେ ହୋଇଥିବା ବେଳେ ସେ ଗୁଜୁରାଟର ଅହମ୍ମଦାବାଦର ମୂଳନିବାସୀ ଅଟେ । ଅଭିଯୁକ୍ତ ବିନିତ ପୂର୍ବରୁ ଜୁନାଗଡର ଫ୍ୟାମିଲି କୋର୍ଟରେ ଡ୍ରାଇଭର ଭାବେ ଚାକିରି କରୁଥିଲା ଏବଂ ସେଠାରେ ତା ନାଁରେ ଥିବା ଠକେଇ ଅଭିଯୋଗର ଯାଞ୍ଚ ଚାଲିଥିଲା । ଏଥିମଧ୍ୟରେ ସେ ଜୁନାଗଡ଼ରୁ ଫେରାର ହୋଇ ଭଦୋଦରାକୁ ଚାଲି ଆସିଥିଲା ।
ପୋଲିସର ସୂଚନା ମୁତାବକ ବିନିତ ଦବେ ଏଠାରେ ଲୋକଙ୍କୁ ପୋଲିସ ବିଭାଗରେ ନକଲି ଡେପୁଟି ଏସପିର ପରିଚୟ ଦେଉଥିଲା । ସେ ପୋଲିସ ବିଭାଗର ଶୀର୍ଷ ସ୍ତରୀୟ ଅଫିସରମାନଙ୍କ ସହ ଚିହ୍ନା ପରିଚୟ ହୋଇଥିବାର ଅଭିନୟ କରୁଥିଲା । ଏହା ଦ୍ବାରା ସେ ମୋଟ ୧୭ ଜଣ ଲୋକଙ୍କୁ ଠକି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲା ।
ଏହା ମଧ୍ୟ ପଢନ୍ତୁ ...ପୁଅର ପ୍ରେମ ପାଇଁ ମା’ ଉପରେ ଅମାନବୀୟ ଅତ୍ୟାଚାର; ରାସ୍ତାରେ ଉଲଗ୍ନ କରି ଚଳାଇଲେ, ଖୁଣ୍ଟରେ ବାନ୍ଧି ମାଡ
ଜୁନାଗଡ ପୋଲିସ ବିନିତକୁ ଗିରଫ କରିବା ପରେ ତା ନିକଟରୁ ବିଭିନ୍ନ ନକଲି କାଗଜପତ୍ର ଯେମିତିକି ଗୁଜୁରାଟ ପୋଲିସର ଡେପୁଟି ଏସପିର ରାଙ୍କ କାର୍ଡ , ଜୁନାଗଡ ଆଧାର କାର୍ଡ, ଫ୍ୟାମିଲି କୋର୍ଟ କର୍ମଚାରୀର ଆଇଡି କାର୍ଡ, ପ୍ରିନ୍ସିପାଲ ସିନିୟର ସିଭିଲ ଜଜ୍ ଜୁନାଗଡ, ଏକ୍ସିସ ବ୍ୟାଙ୍କ୍ର ଫଟୋକପି ହୋଇଥିବା ଆଇଡି କାର୍ଡ ଜବତ କରାଯାଇଛି । ଏକ ବ୍ୟାଙ୍କର ଡେବିଟ କାର୍ଡ ଓ ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ମିଳିଛି । ଏହା ବ୍ୟତୀତ ଆରୋପୀ ବିନିତ ପାଖରୁ ଅଲଗା ଅଲଗା ଲୋକଙ୍କ ନାମରେ ଚାକିରି ପାଇଁ ନକଲି କଲ୍ ଲେଟର ମଧ୍ୟ ମିଳିଛି ।
ପୋଲିସ ଯାଞ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ବିନିତ ସର୍ବଦା ଠକେଇ କରିବା ପାଇଁ ସହଜ ଶିକାରର ସନ୍ଧାନରେ ରହୁଥିଲା । ସେ ନିଜର ମାୟାଜାଲରେ ସୌରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ମୋଟ ୧୭ ଜଣ ଲୋକଙ୍କୁ ସରକାରୀ ଚାକିରି କିମ୍ବା ଅନ୍ୟ ବିଭାଗକୁ ବଦଳିର ଲୋଭ ଦେଖାଇ ପ୍ରାୟ ୨ କୋଟି ୧୧ ଲକ୍ଷ ୫୦ ହଜାର ଟଙ୍କାର ଠକେଇ କରିଛି । ବିନିତ ମୁଖ୍ୟତଃ ଜୁନାଗଡ, ରାଜକୋଟ ସୋମନାଥ ଜିଲ୍ଲାରେ ଚାକିରି ଖୋଜୁଥିବା ଏବଂ ସରକାରୀ ବିଭାଗ ମାନଙ୍କରେ ନିଜ କାମ ପାଇଁ ଆସୁଥିବା ଲୋକଙ୍କୁ ନିଜ ଠକାମିର ଶିକାର ବନାଉଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ