ନୂଆଦିଲ୍ଲୀ:କଂଗ୍ରେସ ଦୀର୍ଘ ୧୦ ବର୍ଷ କାଳର ଶାସନ ଘୋଟାଲାରେ ପରିପୂର୍ଣ୍ଣ ରହିଥିଲା । ୨୦୦୪-୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସର ଶାସନକାଳ ମଧ୍ୟରେ ଦେଶ ସମସ୍ୟାରେ ଭରପୂର ରହିଥିଲା । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଭିଭାଷଣ ବେଳେ କଂଗ୍ରେସ ଉପରେ ଆକ୍ରମଣ କରି ମୋଦି ଏପରି ମନ୍ତବ୍ୟ ରଖିଛନ୍ତି ।
ଏନେଇ ମୋଦି କହିଛନ୍ତି, "୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସ୍ବାଧୀନତାର ଇତିହାସରେ ସର୍ବାଧିକ ଘୋଟାଲାପୂର୍ଣ୍ଣ ଦଶକ ରହିଥିଲା । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ଶାସନ ବେଳେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ଦେଶବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ଏହି ସମୟରେ ଦେଶ ଏପରି ଦୁର୍ବଳ ସ୍ଥିତିକୁ ଆସିଥିଲା ଯେ ବିଶ୍ବ ଭାରତର କଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନଥିଲା । କୋରୋନା ମହାମାରୀ ବେଳେ ଦେଶ ଆତ୍ମନିର୍ଭରଶୀଳ ହେଲା । ସାରା ବିଶ୍ବରେ ଭାରତକୁ ନେଇ ଏକ ସକରାତ୍ମକ ଭାବନା, ଆଶା ଓ ଭରସା ଜାଗ୍ରତ ହେଲା । କଂଗ୍ରେସ ଶାସନର ଦଶବର୍ଷ 'ଲଷ୍ଟ ଡିକେଡ' ରହିଥିବା ବେଳେ ଏବେ ଭାରତ 'ଇଣ୍ଡଆଜ ଡିକେଡ' ହୋଇପାରିଛି ।"
ମୋଦି ଦେଶର ଅର୍ଥନୀତିକୁ ନେଇ କହିଛନ୍ତି ଏବେ ବିଶ୍ବର ଅନେକ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାର, ଖାଦ୍ୟ ଓ ଆର୍ଥିକ ସଙ୍କଟ ଦେଖାଦେଇଛି । ଏପରିକି ପଡୋଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଭାରତ ବିଶ୍ବର ସର୍ବବୃହତ ଅର୍ଥନୀତିର ପଞ୍ଚମ ସ୍ଥାନରେ ପହଞ୍ଚିଛି । ଏହାକୁ ନେଇ ପ୍ରତିଟି ଭାରତୀୟ ଗୌରବାନ୍ବିତ ହୋଇଛନ୍ତି । ରାଷ୍ଟ୍ରପତି ବଜେଟ ଉପସ୍ଥାପନା ପୂର୍ବରୁ ଯେଉଁ ଅଭିଭାଷଣ ରଖିଥିଲେ, ତାକୁ ନେଇ ୧୪୦କୋଟି ଭାରତୀୟ ପ୍ରେରିତ ହୋଇଥିବା ବେଳେ ଏହି ଅଭିଭାଷଣ ସେମାନଙ୍କ ଲାଗି ମାର୍ଗଦର୍ଶିକା ସାଜିଛି ବୋଲି ମୋଦି କହିଛନ୍ତି ।