ଓଡିଶା

odisha

ETV Bharat / bharat

ବିତିଲା ଦେଢମାସ: ତାଲିବାନୀ ଶାସନରେ କେମିତି ବିତୁଛି ଜୀବନ... - ଆଫଗାନବାସୀଙ୍କ ଦୁଃଖ

ଚାହୁଁ ଚାହୁଁ ବିତିଗଲା ଦେଢମାସ । ନିଷ୍ଠୁର ଓ କ୍ରୁର ତାଲିବାନର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି ଆଫଗାନବାସୀ । ମିଳୁନାହିଁ ନିସ୍ତାର । ସୁରକ୍ଷା ଓ ସୁବିଧା ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିବା ତାଲିବାନ ଏବେ ରାକ୍ଷସ ପାଲଟିଛି । ଏତେ ଦିନ ଗଲା ପରେ ମଧ୍ୟ ତାଲିବାନର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ । ଭୋକ ଜ୍ବାଳାରେ ଛଟପଟ ହେବା ସହ ପ୍ରତ୍ୟେକ ଦ୍ରବ୍ୟର ଦର ଆକାଶଛୁଆଁ ନେଇ ପ୍ରମାଦ ଗଣୁଛନ୍ତି ଆଫଗାନବାସୀ । କେମିତି ଅଛି ଏବେ ସେଠାକାର ପରିସ୍ଥିତି, କେମିତି ହେଉଛନ୍ତି ହଇରାଣ... ସେ ନେଇ ପଢନ୍ତୁ ଏହି REPORT...

ବିତିଲା ଦେଢମାସ: ତାଲିବାନୀ ଶାସନରେ କେମିତି ବିତୁଛି ଜୀବନ...
ବିତିଲା ଦେଢମାସ: ତାଲିବାନୀ ଶାସନରେ କେମିତି ବିତୁଛି ଜୀବନ...

By

Published : Sep 21, 2021, 5:16 PM IST

କାବୁଲ:ତାଲିବାନ କବଜାରେ ଆଫଗାନିସ୍ତାନ ଆସିବା ଘଟଣାକୁ ବିତିଗଲାଣି ଦେଢବର୍ଷ । ସ୍ଥିତି ଯଥା ପୂର୍ବଂ ତଥା ପରଂ । ବଦଳିନାହିଁ କୌଣସି ନିୟମାବଳୀ । ଅଧିକ କଠୋର ଓ ରୁକ୍ଷ ହୋଇଯାଇଛି ତାଲିବାନ ସରକାର । ନୂତନ ସରକାର ଆସିଛି ସତ, ହେଲେ ସାଧାରଣ ଜନତାଙ୍କ ପାଇଁ କିପରି ସୁବିଧା କରାଯିବ, ତାହା ଠାରୁ ମାଇଲ ମାଇଲ ଦୂରରେ କ୍ରୁର ତାଲିବାନ । ସେଠାକାର ସ୍ଥାନୀୟ ଲୋକଙ୍କ ଜୀବନ ଏକପ୍ରକାର ଦୁର୍ବିସହ ହୋଇ ପଡିଛି । ପ୍ରତିଦିନ ତ୍ରାହି ତ୍ରାହି ଡାକୁଛନ୍ତି ଆଫଗାନବାସୀ । ବିଭିନ୍ନ ସମସ୍ୟାରେ ଘାଣ୍ଟି ହୋଇପଡୁଛନ୍ତି ସ୍ଥାନୀୟ ବାସିନ୍ଦା । ତେଣିକି ସେ ଖାଦ୍ୟ ସାମଗ୍ରୀର ଚଢା ଦର ହେଉ କିମ୍ବା ତାଲିବାନର କଡା କଟକଣା ହେଉ । ଦି-ବେଳା ଦି-ଓଳି ଖାଇବା ବି ବଡ କଷ୍ଟକର ହୋଇ ପଡୁଛି । ଅର୍ଥ ଅଭାବରୁ ଗୋଟିଏ ବେଳା ଖାଇବା ଯୋଗାଡ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ ଆଫଗାନବାସୀଙ୍କ ପାଇଁ । ଭୋକ ଦାଉରୁ ରକ୍ଷା ପାଇବା ପାଇଁ ନିଜ ଘରର ସମସ୍ତ ସାମଗ୍ରୀକୁ ବିକିବାକୁ ମଧ୍ୟ ପଛାଉ ନାହାଁନ୍ତି । ତାଲିବାନୀ ଶାସନରେ ମୁହୂର୍ତ୍ତଟିଏ ବଞ୍ଚିବା ପାଇଁ କିଏ ଘରର ଆସବାବପତ୍ର ବିକ୍ରି କଲାଣି ତ ଆଉ କିଏ ଆଫଗାନ ଛାଡି ଯିବା ପାଇଁ ଟଙ୍କା ଯୋଗାଡ କରିବାରେ ଲାଗିଲାଣି । ଟୋଲୋ ନ୍ୟୁଜ ରିପୋର୍ଟ ଅନୁସାରେ କାବୁଲ ଏକ ଲକ୍ଷର ଘରୋଇ ଆସବାବପତ୍ରକୁ ମାତ୍ର ୨୦ ହଜାରରେ ଆଫଗାନରେ ବିକ୍ରି କରୁଛି । ତେବେ ଚାଲନ୍ତୁ ଜାଣିବା ତାଲିବାନ ତାର ଆଉ କେଉଁ କେଉଁ ରୂପ ଦେଖାଇ ଆଫଗାନିବାସୀଙ୍କୁ ଭୟଭୀତ କରିବାରେ ଲାଗିଛି....

ପାଣି ବୋତଲର ଦାମ ୩ ହଜାର:

ଦେଢ ମାସର ତାଲିବାନ ରାଜ ପରେ ଆଫଗାନିସ୍ତାନରେ ଦରଦାମ ଆକାଶଛୁଆଁ । ଖାଇବା ଠାରୁ ଆରମ୍ଭ କରି ପୋଷାକ ପରିପାଟୀ ପର୍ଯ୍ୟନ୍ତ ସବୁର ଦାମ ଖୁବ୍ ଉଚ୍ଚରେ ରହିଛି । ଗୋଟିଏ ପାଣି ବୋତଲର ଦାମ ୪୦ ଡଲାର ଯାହା ଭାରତୀୟ ମୁଦ୍ରାରେ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଚାଉଳର ଦାମ ସାଢେ ୭ ହଜାର ଟଙ୍କା ଦେବାକୁ ପଡୁଛି ।

25 ହଜାରର ଫ୍ରିଜ ୫ ହଜାରରେ ବିକ୍ରି:

ଛୋଟ ଛୋଟ ପିଲାଙ୍କ ପେଟ ଭରିବା ପାଇଁ ବାପା ମା ଘରର ସମସ୍ତ ଦାମୀ ଜିନିଷପତ୍ରକୁ ନିମ୍ନ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ୨୫ ହଜାରରେ କିଣା ହୋଇଥିବା ଫ୍ରିଜକୁ ୫ ହଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କାହିଁକିନା ରୋଜଗାରର ସମସ୍ତ ମାଧ୍ୟମ ଏକପ୍ରକାର ବନ୍ଦ ହୋଇଯାଇଛି । ଏମିତି ହୋଇଛି ଯେ, ଉଚ୍ଚଶିକ୍ଷା ପ୍ରାପ୍ତ ନାଗରିକ ଓ ପୋଲିସମାନେ ମଧ୍ୟ ବଜାରରେ ଛୋଟ ମୋଟ କାମ କରିବାକୁ ବାଧ୍ୟ ହେଉଛନ୍ତି ।

ମହିଳାଙ୍କୁ କ୍ରିକେଟ ମନା:

ମହିଳାଙ୍କୁ ଚାକିରୀ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତାଲିବାନ ରାଜୁତିକୁ ମାସେ ହୋଇଗଲା ପରେ ମଧ୍ୟ ଏହି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯଦି କୌଣସି ମହିଳା ତାଲିବାନ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି, ତେବେ ତାଙ୍କୁ ନିର୍ଦ୍ଧୁମ ମାଡ ହେଉଛି । ତାଲିବାନର ମୁଖ୍ୟ ପ୍ରବକ୍ତା କୁହନ୍ତି ଯେ, ମହିଳାମାନେ କ୍ରିକେଟ ଖେଳିବା ଉଚିତ୍ ନୁହେଁ , ଏହା ଇସଲାମ ଧର୍ମ ବିରୋଧୀ ଆଚରଣ । ଏହା କଲେ ଧର୍ମର ଅବମାନନା ହେବା ଥୟ ।

ସଙ୍ଗୀତକୁ ନା':

ଆଫଗାନିସ୍ତାନରେ ତାଲିବାନ ପ୍ରବେଶ ପୂର୍ବରୁ ସଙ୍ଗୀତ ଉପରେ କୌଣସି ରୋକଟୋକ ନ ଥିଲା । କିନ୍ତୁ ତାଲିବାନର ରାଜୁତି ଆରମ୍ଭ ହେବା ମାତ୍ରେ ସେ ପ୍ରଥମେ ଗୀତ ଉପରେ କଟକଣା ଜାରି କରିଛି । ତାଲିବାନ କାନ୍ଧାର ରେଡିଓ ଷ୍ଟେସନରେ ଗୀତ ଉପରେ ରୋକ ଲଗାଇବା ପାଇଁ ଫତୱା ଜାରି କରିଥିଲା । ରେଡିଓ ଷ୍ଟେସନରେ ହିନ୍ଦୀ ଓ ଫାର୍ସୀ ଗୀତ ବଦଳରେ ଦେଶଭକ୍ତି ଗୀତ ବଜାଇବାକୁ କୁହାଯାଇଛି ।

ଆଫଗାନ ସଂସ୍କୃତିରେ ବୃହତ୍ତ ପରିବର୍ତ୍ତନ:

କ୍ରୁର ତାଲିବାନର କ୍ଷମତା ହାସଲ ପରେ ଦେଶର ସଂସ୍କୃତିର ବହୁତ ବଡ ପରିବର୍ତ୍ତନ ଆସିଛି । ତାଲିବାନ ସାଂସ୍କୃତିକ ଗତିବିଧି ପାଇଁ ଅନୁମତି ଦେଇନାହିଁ । ତାଲିବାନ କହିଛି ଯେ, ସରିଆ କାନୁନ ଓ ଆଫଗାନିସ୍ତାନର ଇସଲାମ ସଂସ୍କୃତି ଅନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ । ମହିଳାଙ୍କ ପାଇଁ ବୁର୍ଖା ଓ ଅବାୟା(abaya) ଅନିବାର୍ଯ୍ୟ କରାଯାଇଛି । ପୁରୁଷଙ୍କୁ ଜିନ୍ସ ବଦଳରେ ପାରମ୍ପରିକ କୁର୍ତ୍ତା ଓ ସଲୱାର ପିନ୍ଧିବାକୁ କୁହାଯାଇଛି ।

ମହିଳାଙ୍କୁ ରାଜନୀତି ନା':

ତାଲିବାନୀ ଶାସନରେ ମହିଳାଙ୍କୁ ରାଜନୀତିରେ କୌଣସି ସ୍ଥାନ ନାହିଁ । ମହିଳାଙ୍କ ଠାରୁ ରୋଜଗାର ଛଡାଇ ନେବା ସହ ତାଙ୍କ ସରକାରରେ ମଧ୍ୟ କୌଣସି ସ୍ଥାନ ଦେଇ ନାହାଁନ୍ତି । ତାଲିବାନ କହିଛି ଯେ, ଆଫଗାନ ମହିଳାଙ୍କୁ ପୁରୁଷଙ୍କ ସହ କାମ କରିବାକୁ କୌଣସି ଅନୁମତି ମିଳିବ ନାହିଁ । ଯଦି ଏପରି ନିୟମ ଲାଗୁ ହେବ, ତେବେ ମହିଳାମାନେ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଗଣମାଧ୍ୟମ ସଂସ୍ଥାରେ ମଧ୍ୟ କାମ କରିପାରିବେ ନାହିଁ ।

ପ୍ରଥମେ ଅନୁମତି ପରେ ବିକ୍ଷୋଭ:

ତାଲିବାନଙ୍କ ଅନୁମତି ବିନା କେହି ବିକ୍ଷୋଭ କରିପାରିବେ ନାହିଁ । ତାଲିବାନ ଶାସନ ବିରୋଧରେ କେହି ବିକ୍ଷୋଭ ବା ଧାରଣା ପ୍ରଦର୍ଶନ କରିପାରିବେ ନାହିଁ । ଯଦି କେହି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ନ୍ୟାୟ ମନ୍ତ୍ରାଳୟରୁ ସବୁଜ ପତାକା ଆଣିବାକୁ ହେବ । ଏହା ସହ ସରକାରୀ ଅଧିକାରୀ ଏବଂ ସୁରକ୍ଷା ଏଜେନ୍ସିଙ୍କୁ ବିକ୍ଷୋଭର ସ୍ଲୋଗାନ, ସ୍ଥାନ, ସମୟ ଓ ଅନ୍ୟ ସମସ୍ତ ବିବରଣୀ ପ୍ରଦାନ କରିବାକୁ ହେବ । ଏ ନେଇ ତାଲିବାନ ସରକାର ସ୍ପଷ୍ଟ କରିଛି ।

ତେଲ ଦର ଆକାଶଛୁଆଁ:

କାବୁଲ ଓ ଆଫଗାନିସ୍ତାନର ଅନ୍ୟ କ୍ଷେତ୍ରମାନଙ୍କରେ ତାଲିବାନ ସରକାର ଆସିବା ପରେ ତେଲ କମ୍ପାନୀମାନେ ନିଜ ମନମାନୀ ଆରମ୍ଭ କରିଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ତୈଳ ଦର ଆକାଶଛୁଆଁ ବୃଦ୍ଧି ପାଇଛି । ଏହି କମ୍ପାନୀ ଗୁଡିକ ମୂଲ୍ୟ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି ।

ଏବେ ବି ପଞ୍ଜଶିର ଦଖଲ ନିଶା:

ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ପଞ୍ଜଶିର ପ୍ରାନ୍ତରେ ଅହମ୍ମଦ ମସୁଦଙ୍କ ନେତୃତ୍ବରେ National Resistance Force ତାଲିବାନ ବିରୋଧରେ ଯୁଦ୍ଧ ଲଢୁଛନ୍ତି । କିନ୍ତୁ ତାଲିବାନ ଯୁଦ୍ଧ ବିମାନ ବାରମ୍ବାର ଆକ୍ରମଣ କରି ପଞ୍ଜଶିରରେ ନିଜ ଦଖଲ ଜାହିର କରିବା ପାଇଁ ଚେଷ୍ଟା କରୁଛି । ଏହି ପ୍ରାନ୍ତ ତାଲିବାନ ଦଖଲରୁ ସମ୍ପୂର୍ଣ୍ଣ ବାହାରେ । ତେଣୁ ସେ ନିଜର ସମସ୍ତ ଚେଷ୍ଟା ଲଗାଇ ଏହାକୁ ନିଜ କବଜାରେ ଆଣିବାକୁ ଚାହୁଁଛି ।

ଆଫଗାନର ଭବିଷ୍ୟତ ଆତଙ୍କୀଙ୍କ ହାତରେ:

ଆଫଗାନରୁ ଆମେରିକୀୟ ସୈନ୍ୟ ଓ ନାଟୋ ଫୋର୍ସ ହଟିବା ପରେ ସମ୍ପୂର୍ଣ୍ଣ କାବୁଲ ଆତଙ୍କୀଙ୍କ ହାତରେ । ତାଲିବାନ ୭ ସେପ୍ଟେମ୍ବରକୁ ନୂଆ ସରକାରର ଘୋଷଣା କରିଥିଲା । ଏହି ସରକାରରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ସାମିଲ ଅଛନ୍ତି । ମୁଲ୍ଲା ମହମ୍ମଦ ହସନ ଅଖୁଦକୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଦେଶ ସହ ଯୋଡା ହୋଇଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଏବେ ଆତଙ୍କୀ ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details