ନୂଆଦିଲ୍ଲୀ:ଆମେରିକୀୟ ବୈଦ୍ୟୁତିକ କାର ନିର୍ମାତା କମ୍ପାନୀ ଟେଲସା (Tesla) ଭାରତରେ ତାର ଉତ୍ପାଦନ ଆରମ୍ଭ କରିପାରିବ । ଭାରତରେ ଉତ୍ପାଦିତ ଯାନ ବିଦେଶକୁ ରପ୍ତାନୀ ମଧ୍ୟ କରି ପାରିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଚୀନରେ ନିର୍ମିତ ଉତ୍ପାଦ ଆମଦାନୀ କରି ଭାରତୀୟ ବଜାରରେ ବିକ୍ରି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ।
ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, ଚୀନରେ ନିର୍ମାଣ ଓ ଭାରତରେ ବିକ୍ରି ଆଦୌ ଗ୍ରହଣୀୟ ନୁହେଁ । କମ୍ପାନୀ ଭାରତରେ ତାର ବୈଦ୍ୟୁତିକ ଯାନ ଆମଦାନୀ ତଥା ବିକ୍ରୟ କରିବାକୁ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ନୂଆଦିଲ୍ଲୀରେ ଅଧିକାରୀଙ୍କ ସହ ବର୍ଷାଧିକ କାଳ ଆଲୋଚନା ମଧ୍ୟ କରିଥିଲା । ଭାରତରେ ଆମଦାନୀ ଶୁଳ୍କ ବିଶ୍ୱରେ ସର୍ବାଧିକ ବୋଲି କହିଥିଲେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ ।