ଲକ୍ଷ୍ନୌ:ଉତ୍ତରପ୍ରଦେଶ କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପାକିସ୍ତାନ ନାଗରିକ ରାମଜାନକୀ ମନ୍ଦିର ଏବଂ ଅନ୍ୟ କିଛି ସମ୍ପତ୍ତି ବିକ୍ରି କରିଦେଇଥିବାର କାନପୁର ପ୍ରଶାସନ ଜାଣିବାକୁ ପାଇଛି । ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ଶତ୍ରୁ ସମ୍ପତ୍ତି ସଂରକ୍ଷକ କାର୍ଯ୍ୟାଳୟ(office of the custodian of enemy property) ଉକ୍ତ ମନ୍ଦିର ଏବଂ ଅନ୍ୟ ସମ୍ପତ୍ତିକୁ 'ଶତ୍ରୁ ସମ୍ପତ୍ତି' ଭାବେ ସୂଚୀବଦ୍ଧ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି । କହିରଖୁଛୁ କି, ଯେଉଁମାନେ ଭାରତ ଛାଡି ଚୀନ କିମ୍ବା ପାକିସ୍ତାନରେ ବାସ କରୁଛନ୍ତି ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି କୁହାଯାଏ ।
ଉତ୍ତରପ୍ରଦେଶରେ ମନ୍ଦିର ବିକିଲେ ପାକିସ୍ତାନ ନାଗରିକ - ଉତ୍ତରପ୍ରଦେଶରେ ପାକିସ୍ତାନ ନାଗରିକଙ୍କ ମନ୍ଦିର ବିକ୍ରି
ଉତ୍ତରପ୍ରଦେଶ କାନପୁରରେ ମନ୍ଦିର ବିକିଲେ ପାକିସ୍ତାନ ନାଗରିକ । ଅଧିକ ପଢନ୍ତୁ
ସୂଚନା ଅନୁସାରେ, କାନପୁର ବେକନଗଞ୍ଜ ଅଞ୍ଚଳରେ ଏହି ମନ୍ଦିର ସମ୍ପତ୍ତି ରହିଛି । 1982 ମସିହାରେ ପାକିସ୍ତାନୀ ନାଗରିକ ଆବିଦ ରେହମାନ ଏହାକୁ କାନପୁରର ମୁଖତାର ବାବାଙ୍କୁ ବିକ୍ରୟ କରିଥିଲେ । ସେହି ସମୟରେ ମୁଖତାର ବାବାଙ୍କ ମନ୍ଦିରର ପରିସରରେ ଏକ ସାଇକେଲ ମରାମତି ଦୋକାନ ଥିଲା । 1962 ମସିହାରେ ଆବିଦ ପାକିସ୍ତାନରେ ରହୁଥିବା ନିଜ ପରିବାର ପାଖକୁ ଚାଲିଯାଇଥିଲେ । କିଛି ସମୟ ପାଇଁ ଭାରତ ଆସି ସେ ସମ୍ପତ୍ତିକୁ ମୁଖତାର ବାବାକୁ ବିକିଥିଲେ । ଏହାପରେ ସମ୍ପତ୍ତି କିଣିଥିବା ମୁଖତାର ସେଠାରେ ରହୁଥିବା 18 ପରିବାରକୁ ମନ୍ଦିର ପରିସରରୁ ବେଦଖଲ କରିବା ସଙ୍ଗେ ସଙ୍ଗେ ସେଠାରେ ଏକ ରେସ୍ତୋରାଁ ତିଆରି କରିଥିଲେ ।
କାନପୁର ମ୍ୟୁନିସିପାଲ କର୍ପୋରେସନ ରେକର୍ଡରେ ଏହି ସମ୍ପତ୍ତି ଏବେ ବି ମନ୍ଦିର ଭାବେ ସୂଚୀବଦ୍ଧ ଅଛି । ଗତବର୍ଷ ଶତ୍ରୁ ସମ୍ପତ୍ତି ସଂରକ୍ଷଣ ସଂଘର୍ଷ ସମିତି ଏନେଇ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ପରେ ଶତ୍ରୁ ସମପ୍ତି ସଂରକ୍ଷକ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯାଇଥିଲା । ମନ୍ଦିର ବିକ୍ରି ନେଇ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ''ଯିଏ ଏହି ମନ୍ଦିର ସମ୍ପତ୍ତି କିଣି ଏବଂ ଏହାକୁ ଭାଙ୍ଗି ରେସ୍ତୋରାଁ କରିଛନ୍ତି ସେମାନଙ୍କୁ ନୋଟିସ ପଠାଯାଇଛି । ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆମେ ସେମାନଙ୍କ ଉତ୍ତର ଅପେକ୍ଷାରେ ରହିଛୁ ।''