ହାଇଦ୍ରାବାଦ:ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ସମଗ୍ର ତେଲେଙ୍ଗାନାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥବାବେଳେ ସମ୍ପୃକ୍ତ ପୀଡିତାଙ୍କ କିଛି ଫଟୋ ଓ ଭିଡିଓ ସେୟାର କରିବା ରାଜ୍ୟର ଜଣେ ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି । ଆଜି (ମଙ୍ଗଳବାର) ବିଜେପି ବିଧାୟକ ଏମ.ରଘୁନନ୍ଦନ ରାଓଙ୍କୁ ଏପରି କିଛି ଅଭିଯୋଗରେ ବୁକ କରିଛି ତେଲେଙ୍ଗାନା ପୋଲିସ । ବିଧାୟକ ରଘୁନନ୍ଦନଙ୍କୁ IPC ଧାରା 228-A ଅନୁସାରେ ବୁକ କରାଯାଇଥିବା ପୋଲିସ କହିଛି ।
ଗତ 4 ତାରିଖରେ ଘଟଣା ନେଇ ପ୍ରେସମିଟ କରିଥିଲେ ବିଧାୟକ । ଏହି ଜଘନ୍ୟ କାଣ୍ଡରେ ଜଣେ AIMIM MLAଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ସେ ଦାବି କରିଥିଲେ । ତେବେ ପୀଡିତାଙ୍କ ଫଟୋ ଓ ଭିଡିଓ ସାର୍ବଜନୀନ କରିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ମେ 28 ତାରିଖରେ ଏହି ବହୁଚର୍ଚ୍ଚିତ ଘଟଣା ଘଟିଥିଲା। ଜଣେ ନାବାଳିକା ଏକ ପାର୍ଟିରେ ଯୋଗ ଦେଇ ଫେରୁଥିବାବେଳେ ଲିଫ୍ଟର ପ୍ରଲୋଭନ ଦେଖାଇ ଏକ କାରରେ ତାଙ୍କୁ 5 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ 3ଜଣ ନାବାଳକ ମଧ୍ୟ ଥିଲେ ।