ଚେନ୍ନାଇ: ସାରା ଦେଶରେ ବାଣ ଓ ଆତସବାଜୀରେ ପାଳନ ହେଲା ଦୀପାବଳି । ହେଲେ ତାମିଲନାଡୁର ଏମିତି କିଛି ଗ୍ରାମ ରହିଛି, ଯେଉଁଠାରେ ଗ୍ରାମବାସୀ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କେବଳ ଚିନ୍ତିତ ନୁହନ୍ତି ବରଂ ସଚେତନ ମଧ୍ୟ । ସରକାରୀ ନିୟମ ନୁହେଁ ବରଂ ନିଜେ ପରିବେଶର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେବ ଦୀପାବଳିରେ ବାଣ ଫୁଟାଉନାହାନ୍ତି । ତାମିଲନାଡୁର ଏକାଧିକ ଗ୍ରାମରେ ଏପରି କିଛି ସ୍ଥିତି ଦେଖିବାକୁ ମିଳିଛି ।
ଶିବଗଙ୍ଗା ଜିଲ୍ଲାର ଭେଟ୍ଟାନଗୁଡି ଗ୍ରାମବାସୀ ଚଳିତ ଦୀପାବଳିରେ ବାଣ ଫୁଟାଇନାହାନ୍ତି । ଗ୍ରାମ ନିକଟରେ ଥିବା ବାର୍ଡ ସେଞ୍ଚୁରୀ ପକ୍ଷୀ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ସେମାନେ ପ୍ରତିବର୍ଷ ବିନା ବାଣ ଓ ଆସତବାଜୀରେ ଦୀପାବଳି ପାଳନ କରିଆସୁଛନ୍ତି । ଶିବଗଙ୍ଗା ଜିଲ୍ଲାରେ ସରକାରଙ୍କ ଦ୍ବାରା 1977ରେ ପ୍ରତିଷ୍ଠା ହୋଇଥିଲା ପକ୍ଷୀ ଅଭୟାରଣ୍ୟ । ଏଠାରେ ପ୍ରାୟ 217 ପ୍ରକାର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ । ସେଠାକାର ସ୍ଥାନୀୟ ଲୋକେ ମଧ୍ୟ ପରିବେଶ ସୁରକ୍ଷା ଓ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବାଣ ବର୍ଜନ କରିଆସିଛନ୍ତି । ସେମାନେ କୌଣସି ପର୍ବପର୍ବାଣୀରେ ବାଣ କିମ୍ବା ପ୍ରଦୂଷଣ ସୃଷ୍ଟିକାରୀ କାର୍ଯ୍ୟକଳାପରୁ ବିରତ ରହିଥାନ୍ତି ।
ସେହିପରି କୋଇମ୍ବାଟୁର ଜିଲ୍ଲାର କିଟ୍ଟାମ୍ପାଲାୟମ ଗ୍ରାମରେ ମଧ୍ୟ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଛି । ରାଜ୍ୟର ଅନ୍ୟ ଏକ ପକ୍ଷୀ ଅଭୟାରଣ୍ୟ ହେଉଛି, ଇରୋଡେ ଜିଲ୍ଲାରେ ରହିଛି ଭୋଲଡେ ପକ୍ଷୀ ଅଭୟାରଣ୍ୟ । ପ୍ରାୟ 240 କି.ମି ପରିମିତ ଅଞ୍ଚଳରେ ଥିବା ଏହି ବାର୍ଡ ସେଞ୍ଚୁରୀରେ ଦେଖିବାକୁ ମିଳନ୍ତି ଉଭୟ ଦେଶୀ ଓ ବିଦେଶ ପକ୍ଷୀ ।