ଚେନ୍ନାଇ:ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET)ରେ ଅକୃତକାର୍ଯ୍ୟ ହେବା କାରଣରୁ ଆଶାୟୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ମାମଲାରେ କେନ୍ଦ୍ରକୁ କଡା ଟାର୍ଗେଟ କରିଛନ୍ତି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଏହା ଛାତ୍ର ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ଯୁବ ବ୍ୟାପାର ମନ୍ତ୍ରୀ ଉଦାୟାନିଧି ଷ୍ଟାଲିନ । ସେ ସିଧାସଳଖ ଏହି ଛାତ୍ରମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ପୂର୍ବରୁ ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହାକୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଲ ପାରିତ କରିସାରିଥିବା ବେଳେ ଏହାକୁ ରାଜ୍ୟପାଳ ଆର.ଏନ୍ ରବି ଅନୁମୋଦନ ଦେଉନାହାନ୍ତି । ତେଣୁ ଏହି ମାମଲାରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ପରେ ଏବେ ଶାସକ ଦଳ DMKର ଛାତ୍ର ସଂଘ ପକ୍ଷରୁ ଏହାକୁ ରାଜ୍ୟରୁ ଉଚ୍ଛେଦ କରାଯିବା ଦାବିରେ ଆମରଣ ଅନଶନ ମଧ୍ୟ ଆରମ୍ଭ କରାଯାଇଛି । ତେବେ ଛାତ୍ର ସଂଗଠନର ଦାବିକୁ ସମର୍ଥନ କରି ଗଣମାଧ୍ୟମରେ ଏହି ବୟାନ ଦେଇଛନ୍ତି ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି । ନିକଟରେ ଘଟିଥିବା ଛାତ୍ର ମୃତ୍ୟୁ ମାମଲା ଏକ ଆତ୍ମହତ୍ୟା ଘଟଣା ନୁହେଁ ବରଂ ଏହା ଏକ ହତ୍ୟାକାଣ୍ଡ । କେନ୍ଦ୍ର ସରକାରଙ୍କ NEET ନୀତି ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି ।