ରାଞ୍ଚି: ଘରୋଇ ସହାୟିକାଙ୍କୁ ମାଡ ମାରିବା ଓ ନିର୍ଯାତନା ଦେବା ଘଟଣାରେ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ ହୋଇଛନ୍ତି(suspended BJP leader Seema Patra arrested) । ବୁଧବାର ତାଙ୍କୁ ଗିରଫ କରାଯିବ ସହ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଆସନ୍ତା ୧୨ ତାରିଖ ଯାଏଁ ସୀମା ପାତ୍ର ରିମାଣ୍ଡରେ ରହିବେ । ଏନେଇ ସରକାରୀ ଓକିଲ ପ୍ରଦୀପ ଚୌରସିଆ ସୂଚନା ଦେଇଛନ୍ତି ।
ଅନ୍ୟପଟେ ନିଲମ୍ବିତ ବିଜେପି ନେତ୍ରୀ ନିଜ ବିରୁଦ୍ଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ''ମୋତେ ଫସେଇ ଦିଆଯାଉଛି । ଏସବୁ ଅଭିଯୋଗ ମିଛ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ'' ବୋଲି ସୀମା ପାତ୍ର ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ ବିଜେପି ନେତ୍ରୀ ଜଣକ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଘଟଣା ଗତ ସୋମବାର ଦିନ ସାମ୍ନାକୁ ଆସିଥିଲା । ସୀମା ପାତ୍ରଙ୍କ ପୁଅ ବିବେକ ଆନନ୍ଦ ବସ୍କି ନାମକ ଜଣେ ବନ୍ଧୁଙ୍କୁ ଏ ସମ୍ପର୍କରେ କହିଥିଲେ । ଏହାପରେ ବିବେକ ବସ୍କି ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ପଦାକୁ ଆସିବା ମାତ୍ରେ ଚାରିଆଡେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଝାଡଖଣ୍ଡ ବିଜେପି ମୁଖ୍ୟ ତୁରନ୍ତ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ଏହାସହିତ ଏହି ନିର୍ଯାତନା ଘଟଣାର ତଦନ୍ତ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ ହୋଇଥିବା ବିଜେପି ସୂଚନା ଦେଇଥିଲା ।