ପାଟନା:ବିହାର ଛପରାରେ ମଦ ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଛି । ଏଥି ସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସାରଣ ଜିଲ୍ଲାର ତାରାୟା ନିକଟ ଶାହନେୱାଜପୁର ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ନୂଆବର୍ଷ ରାତିରେ ଦୁଇ ଦାଦା ପୁତୁରା ଏକ ପାର୍ଟିରେ ଯୋଗ ଦେଇ ସେଠାରେ ମଦ ପିଇଥିଲେ । ଏହାପରେ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ଚିକିତ୍ସା ସମୟରେ ଉଭୟର ମୃତ୍ୟୁ ହୋଇଥିଲା। ଦୁଇ ମୃତକ ହେଉଛନ୍ତି ଶାହନେୱାଜପୁର ଗାଁର ମନୋଜ ସାହା ଏବଂ ତାଙ୍କ ପୁତୁରା ସୁନୀଲ କୁମାର ।
ବିଷାକ୍ତ ମଦ ପିଇବା ପରେ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା:ଗତ ରବିବାର ରାତିରେ ଉଭୟ ଦାଦା ପୁତୁରା ଏକ ପାର୍ଟିରେ ଯୋଗ ଦେଇ ମଦ୍ୟପାନ କରିଥିଲେ । ଏହାପରେ ସୋମବାର ସକାଳେ ଉଭୟଙ୍କ ସ୍ବାସ୍ଥ୍ୟା ଖରାପ ହୋଇଥିଲା । ପେଟରେ ଯନ୍ତ୍ରଣା ହେବା ସହ ଆଖିକୁ କିଛି ଦେଖାଯାଇନଥିଲା । ଏହାପରେ ପରିବାର ଲୋକେ ଉଭୟଙ୍କୁ ଛପରା ସଦର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତିରେ ସୁନିଲଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବୁଧବାର ତାଙ୍କ ଦାଦା ମନୋଜ ସାହା ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ସେହିଦିନ ମନୋଜଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାରରେ ଶୋକର ଛାୟା ଖେଳିଯାଇଥିଲା ।