ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ହିଜାବ ନିଷିଦ୍ଧ ଲାଗି ହୋଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନ ଉପରେ ଲଗାତାର 10 ଦିନ ହେବ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ (Supreme Court Reserves Verdict on Hijab Controversy)। ବିଚାରପତି ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଗଠିତ ଖଣ୍ଡପୀଠ ଶୁଣାଣି କରି ରାୟ ସଂରକ୍ଷିତ କରିଛନ୍ତି । ପୂର୍ବରୁ ଅଗଷ୍ଟ 29ରେ କର୍ଣ୍ଣାଟକରେ ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ ।
ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହା ଆମ ପାଇଁ ହୋମୱାର୍କ କରିବା ଓ ରାୟ ପ୍ରକାଶ କରିବାର ସମୟ । ଏବେ ବି ଯିଏ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ଧାୱନ, କପିଲ ସିବଲ, ସଲମାନ ଖୁର୍ସିଦ, ଦେବଦତ୍ତ କମାତ ଓ ସଞ୍ଜୟ ହେଗଡେଙ୍କ ଭଳି 20 ଅଧିକ ଆଇନଜୀବୀ ମାମଲା ଲଢୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ବିରୋଧ କରୁଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ ନଟରାଜ ଓ କର୍ଣ୍ଣାଟକ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନାଭାଡଗି ମାମଲା ପରିଚାଳନା କରୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ଗତ 10 ଦିନ ହେବ ମାମଲା ନିୟମିତ ଶୁଣାଣି ଚାଲିଥିଲା । ଗୁରୁବାର ରାୟ ସଂରକ୍ଷିତ କରି ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ ।