ଓଡିଶା

odisha

By

Published : Apr 29, 2022, 3:07 PM IST

Updated : Apr 29, 2022, 3:50 PM IST

ETV Bharat / bharat

Poultry Revolution: କୁକୁଡା ଚାଷରେ ଆଣିଥିଲେ ବିପ୍ଳବ, ୮୫ବର୍ଷରେ ଆଖି ବୁଜିଲେ ସୁନ୍ଦର ନାଇଡୁ

ବାଲାଜୀ ହ୍ୟାଚେରୀର ପ୍ରତିଷ୍ଠାତା ସୁନ୍ଦର ନାଇଡୁଙ୍କ ୮୫ ବର୍ଷରେ ପରଲୋକ ଘଟିଛି । କୁକୁଡା ଚାଷକୁ ବ୍ୟାପକ କରିବା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ପୋଲଟ୍ରି ଫେଡେରେସନର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

୮୫ ବର୍ଷରେ ଆଖି ବୁଜିଲେ ବାଲାଜୀ ହ୍ୟାଚେରୀ ପ୍ରତିଷ୍ଠାତା ସୁନ୍ଦର ନାଇଡୁ
୮୫ ବର୍ଷରେ ଆଖି ବୁଜିଲେ ବାଲାଜୀ ହ୍ୟାଚେରୀ ପ୍ରତିଷ୍ଠାତା ସୁନ୍ଦର ନାଇଡୁ

ହାଇଦ୍ରାବାଦ: ଆଉ ନାହାଁନ୍ତି ଦକ୍ଷିଣ ଭାରତରେ କୁକୁଡା ଚାଷରେ ବିପ୍ଳବ ଆଣିଥିବା ସୁନ୍ଦର ନାଇଡୁ । କୁକୁଡା ଚିଆଁ ଫୁଟା ମେସିନ୍ ପ୍ରତିଷ୍ଠା ଠାରୁ ବାଲାଜୀ ହ୍ୟାଚେରୀ (ବ୍ୟବସାୟିକ ଉଦ୍ଦେଶ୍ୟ ଲାଗି କୃତ୍ରିମ ଉପାୟରେ ମାଛ କିମ୍ବା କୁକୁଡ଼ା ଅଣ୍ଡା ଉତ୍ପାଦନ କେନ୍ଦ୍ର)ର ପ୍ରତିଷ୍ଠାତା ଥିଲେ ସେ । ତାଙ୍କୁ କୁକୁଡା ଚାଷ ବିପ୍ଳବ (Poultry revolution)ର ମହାନାୟକ କୁହାଯାଏ । ଗୁରୁବାର ସନ୍ଧ୍ୟା ସମୟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିବା ଜଣାପଡ଼ିଛି । ତାଙ୍କ ମାତା ପିତା ଗୋବିନ୍ଦ ନାଇଡୁ ଓ ମଙ୍ଗମମାଲା ଚାଷୀ ଥିବା ବେଳେ ସେ ବମ୍ବେ ଭେଟେନାରୀ ୟୁନିଭର୍ସିଟିରୁ ପଶୁ ଚିକିତ୍ସା ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ସରକାରୀ ପଶୁ ଚିକିତ୍ସକ ଭାବେ କାମ କରିଥିଲେ । କୁକୁଡା ଚାଷକୁ ବ୍ୟାପକ କରିବା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିଲା । ଦକ୍ଷିଣ ଭାରତରେ କୁକୁଡା ଚାଷରେ ବିପ୍ଳବ ଆଣିବା ସହ କୁକୁଡ଼ା ଚାଷ କ୍ଷେତ୍ରରେ ଅବଦାନ ପାଇଁ ନାଇଡୁଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

  • କାହିଁକି ଥିଲେ ଜଣାଶୁଣା ?

ଆନ୍ଧ୍ରପ୍ରଦେଶର ଚିତ୍ତୁର, ଅନନ୍ତପୁର ଓ ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ଜଣେ ଅଭିଜ୍ଞ ପଶୁ ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ । ସେ କୁକୁଡା ଚାଷ କରୁଥିବା ଚାଷୀଙ୍କ ସହିତ କାମ କରି ଉତ୍ତମ ଚାଷ ସମ୍ପର୍କରେ ପରାମର୍ଶ ଦେଉଥିଲେ । ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କୁ ସେ ଅତିରିକ୍ତ ଚାଷ କରି ଅଧିକ ଆୟ କରିବା ପାଇଁ କୁକୁଡ଼ା ଚାଷ ପାଇଁ ପରାମର୍ଶ ଦେଇଥିଲେ । ନାଇଡୁ ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ୧୯୬୭ରେ ନିଜର କୁକୁଡ଼ା କମ୍ପାନୀ ଆରମ୍ଭ କରିଥିଲେ । ନାଇଡୁ ସ୍ଥାନୀୟ ଜନସାଧାରଣଙ୍କୁ ରୋଜଗାରକ୍ଷମ କରିଥିଲେ । ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବା ପାଇଁ ସେ ପଦଯାତ୍ରା କରିବାକୁ ପସନ୍ଦ କରିଥିଲେ ।

  • ୧୯୭୨ରେ ବାଲାଜୀ ହ୍ୟାଚେରୀର କରିଥିଲେ ସ୍ଥାପନା:-

ସେ ଆରମ୍ଭ କରିଥିବା କୁକୁଡ଼ା ଚାଷର ସମ୍ପ୍ରସାରଣ ହେବା ସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଲା । ଏହାପରେ ସେ ୧୯୭୨ ମସିହାରେ ବାଲାଜୀ ହ୍ୟାଚେରୀ ପ୍ରତିଷ୍ଠା କରିଥିଲେ, ଯାହା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହ ତତ୍କାଳୀନ ମିଳିତ ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଚାଷରେ ପରିବର୍ତ୍ତନ ଆଣିଥିଲା । କୁକୁଡ଼ା ଚାଷ କ୍ଷେତ୍ରରେ ଅବଦାନ ପାଇଁ ନାଇଡୁଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୁଣେରେ ଥିବା ଡ. ବି ବି ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଟ୍ରଷ୍ଟି ଥିଲେ ନାଇଡୁ ।

  • କୁକୁଡା ଚାଷ ବ୍ୟାପକ ପାଇଁ ହୋଇଥିଲେ ସମ୍ମାନିତ:-

ଦକ୍ଷିଣ ଭାରତରେ କୁକୁଡା ଚାଷ ବ୍ୟାପକ ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରିବା ସହିତ ସେ ବଡ଼ ବଡ଼ ପଦବୀରେ ଦାୟିତ୍ବ ତୁଲାଇଥିଲେ । ସେ ଆନ୍ଧ୍ରପ୍ରଦେଶ କୁକୁଡ଼ା ଫେଡେରେସନର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ଅନ୍ତର୍ଜାତୀୟ କୁକୁଡ଼ା ବିଜ୍ଞାନ ସଂଘର ସଦସ୍ୟ ତଥା ଜାତୀୟ ଅଣ୍ଡା ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ନ୍ୟୁ ଜର୍ସି ମଧ୍ୟ ଏକ ପୁରସ୍କାର ସହିତ ତାଙ୍କର ଅବଦାନକୁ ସ୍ବୀକୃତି ଦେଇଛି । ଏହାପୂର୍ବରୁ ନାଇଡୁ ତାଙ୍କ ଗାଁର ଯୁବକମାନଙ୍କୁ ଶିକ୍ଷା ପ୍ରତି ପ୍ରେରଣା ଦେବା ପାଇଁ ନେତାଜୀ ବାଲାନନ୍ଦ ସଂଗଠନ ପ୍ରତିଷ୍ଠା କରିଥିଲେ । ସେ ଗାଁର ଯୁବକମାନଙ୍କୁ କ୍ରୀଡା ଉପକରଣ ଯୋଗାଇବା ବ୍ୟତୀତ ତାଙ୍କ ଗ୍ରାମରେ ଏକ ଲାଇବ୍ରେରୀ ସ୍ଥାପନ କରିଥିଲେ ।

  • ବ୍ୟକ୍ତିଗତ ଜୀବନ:-

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ଦିନରୁ ତାଙ୍କର ମହତ କାର୍ଯ୍ୟ ବାରି ହୋଇ ପଡୁଥିଲା ବେଳେ ସେ ଅନ୍ୟଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ନାଇଡୁ ଛାତ୍ର ଜୀବନରୁ ଅନେକ ସମ୍ପ୍ରଦାୟର ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସର୍ବଦା ଏକତାର ଭାବନା ରଖୁଥିଲେ । ୧୯୩୬ ମସିହା ଜୁଲାଇ ୧ ତାରିଖରେ ସେ ଆନ୍ଧ୍ରପ୍ରଦେଶ ଚିତ୍ତୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଥିଲେ ଗୋବିନ୍ଦ ନାଇଡୁ ଓ ମଙ୍ଗମମାଲା, ଯିଏକି ବୃତ୍ତିରେ ଚାଷୀ ଥିଲେ । ଚାଷୀ ପରିବାରରୁ ଆସିଥିବା ନାଇଡୁ ଉଚ୍ଚଶିକ୍ଷା ହାସଲ କରିଥିଲେ । ବମ୍ବେ ଭେଟେନାରୀ ୟୁନିଭର୍ସିଟିରୁ ସେ ପଶୁ ଚିକିତ୍ସା ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ସେ ପେମ୍ମାସାନୀ ସୁଜିବନାଙ୍କୁ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2022, 3:50 PM IST

ABOUT THE AUTHOR

...view details