ଭୋପାଳ:ପୁଣି ଲଜ୍ଜା । ସାଙ୍ଗମାନଙ୍କ ସହ ପିକନିକ ଯିବା ହେଲା କାଳ । ଜଣେ ଛାତ୍ରୀଙ୍କୁ ତାଙ୍କ ତିନିଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ସୂଚନା ଅନୁସାରେ ଜଣେ ଛାତ୍ରୀ ତିନି ଜଣ ସହପାଠୀଙ୍କ ସହ ମାଣ୍ତାବ ଅଞ୍ଚଳକୁ ପିକନିକ କରିବାକୁ ଯାଇଥିଲେ । ସେଠାରେ ପିକନିକ ମଧ୍ୟ କରିଥିଲେ । ପରେ ଘରକୁ ଫେରିବା ସମୟରେ ପୂର୍ବ ଯୋଜନା ମୁତାବକ ଜଣେ ଛାତ୍ର ଛାତ୍ରୀଙ୍କୁ ନିଜ ଘରକୁ ଡାକି ନେଇଥିଲେ । ସେଠାରେ ତିନି ଜଣ ଛାତ୍ର ମିଶି କରିଥିଲେ ଦୁଷ୍କର୍ମ । ପୀଡିତାଙ୍କୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ତିନି ଅଭିଯୁକ୍ତ ।