ଅମରାବତୀ: ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ ଥମିବାର ନାଁ ନେଉନାହିଁ । ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗତକାଲି(ବୁଧବାର) ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥରମାଡ ହୋଇଛି(Stones pelted at Vande Bharat Express) । ଉଦଘାଟନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ତା'ପୂର୍ବରୁ ପଥରମାଡ ବିବାଦ ସୃଷ୍ଟି ହୋଇଛି । ସୂଚନାଅନୁସାରେ, ଟ୍ରେନର ଚଳାଚଳ ଆରମ୍ଭ ହେବା ପୂର୍ବରୁ ଟ୍ରେନଟି ବିଶାଖାପାଟଣା ରେଳ ଷ୍ଟେସନରୁ ମାରିପାଲେମ ସ୍ଥିତ ବଗି ରକ୍ଷଣାବେକ୍ଷଣ କେନ୍ଦ୍ରକୁ ଯାଇଥିଲା । ତାହା ପୂର୍ବରୁ ଟ୍ରେନର ପରୀକ୍ଷା ମୂଳକ ଭାବେ ଚଳାଚଳ ସଫଳ ହୋଇଥିଲା । ପଥରମାଡ ଯୋଗୁଁ ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଛି । ଘଟଣାକୁ ନେଇ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।
ଏନେଇ ଡିଭିଜନ ରେଲଓ୍ବେ ମ୍ୟାନେଜର ଅନୁପ କୁମାର ସେଥୁପତି କହିଛନ୍ତି, "ବୁଧବାର ସନ୍ଧ୍ୟାରେ ଟ୍ରେନଟି ଟ୍ରାଇଲ ରନ ପାଇଁ ବିଶାଖାପାଟଣା ଆସୁଥିବା ବେଳେ କିଛି ଅଜଣା ଯୁବକ ପଥରମାଡ କରିଥିଲେ । ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ତଦନ୍ତ କରାଯିବ ଏବଂ ଏହାସହ ରେଲଓ୍ବ ପ୍ରୋଟେକ୍ସନ ଫୋର୍ସ(RPF) ମଧ୍ୟ ଅସାମାଜିକ ଯୁବକଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ଏହା ଏକ ଦୁଃଭାଗ୍ୟଜନକ ଘଟଣା । କଞ୍ଚାରପଲେମ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ କରିବା ଦ୍ବାରା ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଛି । ଟ୍ରେନରେ କ୍ଷତି ହୋଇଥିବା ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ । ଆମେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଲୋକମାନଙ୍କ ଭଲ ପାଇଁ ଏହି ଏକ୍ସପ୍ରେସ ଚଳାଚଳ କରୁଛି । ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି ଏଭଳି କରନ୍ତୁ ନାହିଁ । "