ବେଙ୍ଗାଲୁରୁ:କର୍ଣ୍ଣାଟକରେ କଂଗ୍ରେସ ନୂଆ ସରକାର ଗଠନ କରିବା ପରେ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ ହୋଇସାରିଛି । ହେଲେ ବିରୋଧୀ ଦଳ ନେତା କିଏ ହେବ ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଏଯାଏଁ ବିରୋଧୀ ଦଳ ନେତା ଚୟନ କରିନଥିବା ବେଳେ ଏହାରି ମଧ୍ୟରେ ବିଜେପି ବରିଷ୍ଠ ନେତା ୱାଇ ଏସ ୟେଦୁରପ୍ପାଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ଉଭୟଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ବିଜେପି ମାତ୍ର ୬୬ଟି ଆସନ ଜିତିଥିଲା । ତେବେ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି ବିରୋଧୀ ଦଳ ନେତା ଚୟନ କରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କୁ ବିରୋଧୀ ଦଳ ନେତା ଭାବେ ଦଳ ଚୟନ କରିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ବିଜେପିର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ବିଜେପି ଏନେଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ ମେ' ୨୧ ତାରିଖରେ ଏକ ସମୀକ୍ଷା ବୈଠକ କରିଥିଲା । ହେଲେ ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିଲା ।