କୋଲକାତା:ପଶ୍ଚିମବଙ୍ଗର ବରିଷ୍ଠ ଟିଏମସି ନେତା ମୁକୁଲ ରୟଙ୍କୁ ନେଇ ପୁୁଣି ଚର୍ଚ୍ଚା । ସୋମବାର (18 ଏପ୍ରିଲ) ଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା । ତେବେ ତାଙ୍କ ପୁଅ ଶୁଭ୍ରାଂଶୁ ଏନେଇ ଏକ ନିଖୋଜ ଅଭିଯୋଗ କରିଥିଲେ । ଶେଷରେ ସେ ଦିଲ୍ଲୀରେ ଥିବା ନେଇ ସୂଚନା ମିଳିଥିଲା । ହେଲେ ତାଙ୍କର ଏପରି ଦିଲ୍ଲୀ ଗସ୍ତକୁ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି କ୍ଷମତା ହାତେଇବାରେ ବିଫଲ ହେବା ପରେ ସେ ବିଜେପି ଛାଡି ମମତାଙ୍କ ଟିଏମସି ଶିବିରକୁ ଫେରିଥିଲେ । ଏବେ ସେ ପୁଣି ବିଜେପି ଫେରିବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏଇ କାରଣରୁ ସେ କୌଣସି ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ସେ (ମଙ୍ଗଳବାର) ଆଜି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ଘଟଣା ନଜର ଆସିନାହିଁ ।
ସୋମବାର ସନ୍ଧ୍ୟା ପରେ ହଠାତ୍ ବିମାନ ବନ୍ଦରରୁ ମୁକୁଲ ରୟ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଖରାପ ଥିବାରୁ ପରିବାରର ଚିନ୍ତା ବଢିଥିଲା । ପୁଅ ଶୁଭ୍ରାଂଶୁ ଏନେଇ ଏକ ନିଖୋଜ ରିପୋର୍ଟ ମଧ୍ୟ ଦେଇଥିଲେ । କିନ୍ତୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ସେ ଦିଲ୍ଲୀରେ ଥିବା ଜଣାପଡିଥିଲା ।