ଚଣ୍ଡିଗଡ: ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର ହେବା ପୂର୍ବରୁ ପଞ୍ଜାବ ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀକୁ ମୁଳୁଥିଲା ସ୍ବତନ୍ତ୍ର ସୁବିଧା । ଜେଲରେ ସାଧାରଣ ସେଲ ପରିବର୍ତ୍ତେ ଅନସାରୀ ପାଇଁ ରହିଥିଲା ସ୍ବତନ୍ତ୍ର ବାରକ । ଯେତେବେଳେ ଚାହିଁଲେ ପତ୍ନୀ ଜେଲ ସେଲରେ ଅବାଧରେ ପ୍ରବେଶ କରି ସ୍ବାମୀକୁ ଭେଟି ପାରୁଥିଲା । କେବଳ ଏତିକି ନୁହେଁ ଉତ୍ତର ପ୍ରଦେଶ ସରକାରଙ୍କ ହସ୍ତାନ୍ତର ଅନୁରୋଧକୁ ଏଡାଇବା ପାଇଁ ତତ୍କାଳୀନ ସରକାର ଆଇନଗତ ଲଢେଇ ମଧ୍ୟ ଲଢିଥିଲେ । ହସ୍ତାନ୍ତର ରୋକିବା ପାଇଁ ଓକିଲ ଖର୍ଚ୍ଚ ବାବଦକୁ 55 ଲକ୍ଷ ଟଙ୍କା (special treatment to gangster Ansari in Punjab) ଖର୍ଚ୍ଚ ମଧ୍ୟ କରିଥିଲେ ପଞ୍ଜାବର ପୂର୍ବ ସରକାର । ପଞ୍ଜାବର ପୂର୍ବତନ ସରକାର ଏପରି ସନ୍ଦେହଜନକ ଭୂମିକାକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ପଞ୍ଜାବର ମାନ ସରକାର ।
ପଞ୍ଜାବ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଗୃହ ସଚିବ ଘଟଣାର ତଦନ୍ତ ପାଇଁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ବିଭାଗ ତଦନ୍ତ କରିବା ସହ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିଛି । ତେବେ ତତ୍କାଳୀନ ସରକାରରେ କେଉଁ ମନ୍ତ୍ରୀ ବା ନେତା ଅନସାରୀଙ୍କୁ ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବା ପରିବର୍ତ୍ତେ ପଞ୍ଜାବରେ ରଖିବା ପାଇଁ ଆଇନଗତ ଲଢେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ ନେଇ ଖୋଳତାଡ କରିବ ପୋଲିସ । ତେବେ ପୋଲିସ ଡିଜିଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଏହି ତଦନ୍ତ ଶେଷ ହୋଇ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।