ଲକ୍ଷ୍ନୌ:ଏବେ ସୋସିଆଲ ମିଡ଼ିଆରେ 'ପତଲି କମରିୟା' ଗୀତ (Reels on 'Patli Kamariya')ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକାଂଶ ୟୁଜର୍ସ ଏଥିରେ ରିଲ୍ସ ବନାଇ ଏହାକୁ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି । ତେବେ ଡ୍ୟୁଟି ସମୟରେ ଏହି ଗୀତରେ ରିଲ୍ସ ବନାଇବା ୪ ମହିଳା ପୋଲିସ କର୍ମଚାରୀଙ୍କ ଉପରେ ମହଙ୍ଗା ପଡ଼ିଛି । ଏହି ମାମଲାରେ ଅଯୋଧ୍ୟାର ଏସଏସପି ମୁନିରାଜ ୪ ମହିଳା କନେଷ୍ଟବଳଙ୍କୁ ସ୍ଥାନାନ୍ତରଣ କରିଥିବା ଜଣାପଡ଼ିଛି ।
ରାମ ଜନ୍ମଭୂମିର ସୁରକ୍ଷାରେ ନିୟୋଜିତ ଥିବା ଏହି ୪ ମହିଳା କନେଷ୍ଟବଳ ରିଲ୍ସ ବନାଇ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଖୁବ ଭାଇରାଲ ହୋଇଥିଲା । ଯାହାକୁ ଭିତ୍ତି କରି ମହିଳା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁ ସମୟରେ ଏହି ରିଲ୍ସ ଉତ୍ତୋଳନ ହୋଇଥିଲା ସେହି ସମୟରେ ୪ ଜଣ ମହିଳା ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ । ମାତ୍ର ଏମାନେ ଡ୍ୟୁଟି ସମୟରେ ୟୁନିଫର୍ମରେ ନଥିଲେ । ଫଳରେ ପ୍ରଥମେ ସେମାନଙ୍କୁ ଚିହ୍ନଟ କରାଯାଇନଥିଲା । ମାତ୍ର ତଦନ୍ତ ପ୍ରକ୍ରିୟା ଆଗେଇବା ପରେ ଏସଏସପି ମୁନିରାଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।