ଲକ୍ଷ୍ନୌ:JDU ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସହ ସମ୍ପର୍କ ଛିନ୍ନ କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନୀତିଶଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ନୀତିଶଙ୍କ ଏପରି ନିଷ୍ପତ୍ତିକୁ ଏକ ଭଲ ଆରମ୍ଭ ବୋଲି ମଧ୍ୟ କହିଛନ୍ତି ।
ବିହାର ରାଜନୈତିକ ସ୍ଥିତି ଓ ନୀତିଶଙ୍କ ନିଷ୍ପତ୍ତି ସମ୍ପର୍କିତ ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ଅଖିଳେଶ କହିଛନ୍ତି,‘‘ଆଜିର ଦିନରେ ଦେଶରେ ଇଂରେଜ ଶାସନ ବିରୋଧରେ ଦେଶ ଛାଡିବା ପାଇଁ ଆନ୍ଦୋଳନ କରାଯାଇଥିଲା । ତତ୍କାଳୀନ ସମୟରେ ‘ଇଂରେଜ ଭାରତ ଛୋଡ’ ନାରା ଦିଆଯାଇଥିଲା ବେଳେ ଆଜି ବିହାରରୁ ଆରମ୍ଭ ହୋଇଛି ‘ବିଜେପି ଭଗୋଓ’ ନାରା । ଏହା କେବଳ ଆରମ୍ଭ ମାତ୍ର, ଅନ୍ୟ ରାଜ୍ୟରେ କ୍ଷେତ୍ରୀୟ ପାର୍ଟି ଓ ସାଧାରଣ ଜନତା ମଧ୍ୟ ବିଜେପି ବିରୋଧରେ ଏପରି ଆଭିମୁଖ୍ୟକୁ ସମର୍ଥନ କରିବା ସହ ଗ୍ରହଣ କରିବେ ।’’