ହାଇଦ୍ରାବାଦ:ଆସନ୍ତାକାଲି ଠାରୁ ତେଲେଙ୍ଗାନାରେ ଆରମ୍ଭ ହେବାକୁ ଯାଉଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଭେଟରାନ ସୋନିଆ ଗାନ୍ଧୀ, ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଶପଥ ସମାରୋହ ମଞ୍ଚରେ ଦେଖିବାକୁ ମିଳିବ । ଏହା ସହ ବିଦାୟୀ ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେଲେଙ୍ଗାନା ଗଠନ ହେବା ପରେ ରାଜ୍ୟ ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଥିବା ବେଳେ ଆୟୋଜନ ଭବ୍ୟ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛି କଂଗ୍ରେସ ।
ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର, ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଆରାଧେ, ତେଲେଙ୍ଗାନାର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ଓ ସ୍ବତନ୍ତ୍ର ତେଲେଙ୍ଗନା ପ୍ରଦେଶ ଗଠନ ଆନ୍ଦୋଳନର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କାର୍ଯ୍ଯକ୍ରମକୁ ନିୟମନ୍ତ୍ରଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର, ରାଜସ୍ଥାନର ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଗଡର ବିଦାୟୀ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି, ଜିଗବିଜୟ ସିଂ, ସୁଶୀଲ କୁମାର ସିନ୍ଦେ, ଅଶୋକ ଚୌହାନ ପ୍ରମୁଖଙ୍କୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି ।
ତେବେ ଶେଷ ପର୍ଯ୍ୟାୟରେ ହାଇଦ୍ରାବାଦର ଏଲ.ବି ନଗର ଷ୍ଟାଡିୟମରେ ହେବାକୁ ଥିବା ଏହି ଶପଥଗ୍ରହଣ ସମାରୋହର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହା ପୂର୍ବାହ୍ନ ସାଢେ 10ଟାରେ ହେବାକୁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଅପରାହ୍ନ 1.୦4 ମିନିଟକୁ ପରିବର୍ତ୍ତନ କରାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସମସ୍ତ ବନ୍ଦୋବସ୍ତ ତଦାରଖ କରିଥିବା ବେଳେ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ପୋଲିସ ଡିଜି ସମୀକ୍ଷା କରିଛନ୍ତି ।