ଓଡିଶା

odisha

ETV Bharat / bharat

Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ପରେ ପଞ୍ଜାବରେ ରାଜନୀତି ଜୋର । କଂଗ୍ରେସ ନେତାଙ୍କ ମଧ୍ୟରେ ଭୟର ବାତାବରଣ । ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ତଦନ୍ତରେ କେନ୍ଦ୍ର ହସ୍ତକ୍ଷେପ ଦାବି କଲା ବିଜେପି । ଅଧିକ ପଢନ୍ତୁ

Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ
Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

By

Published : May 29, 2022, 10:08 PM IST

ଚଣ୍ଡିଗଡ:ପଞ୍ଜାବରେ କଂଗ୍ରେସ ନେତା ତଥା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ସ୍ପଷ୍ଟ ଦିବାଲୋକରେ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯିବା ପରେ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟ ରାଜନୀତିରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଓ ବୟାନବାଜି ଆରମ୍ଭ ହୋଇଯାଇଛି । ନିକଟରେ ବିଧାନସଭା ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ ରାଜରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିବା କଂଗ୍ରେସ ନେତାଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇଛି ।

ବିଭିନ୍ନ ମହଲରେ ଏପରି ଘଟଣା ନେଇ ଶୋକ ପ୍ରକାଶ କରାଯିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ ପାଇଛି । ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦାୟୀ କରିବା ସହ ଇସ୍ତଫା ଦାବି କରିଛି ବିରୋଧୀ କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖାଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଥିବା ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ମାନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ମାନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାରେ ଯେ କେହି ବି ସମ୍ପୃକ୍ତ ସେମାନେ ରକ୍ଷା ପାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ସେହିପରି AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଛନ୍ତି । ସେ ଘଟଣାର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି । ସମସ୍ତେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ମଧ୍ୟ କେଜ୍ରିଓ୍ବାଲ ଟ୍ବିଟ କରି ନିବେଦନ କରିଛନ୍ତି ।

ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଖଜିନ୍ଦର ସିଂ ରାନ୍ଧଓ୍ବା ଘଟଣା ନେଇ ସିଧାସଳଖ ଆଇନ ଶୃଙ୍ଖଳା ସ୍ଥିତିକୁ ଦାୟୀ କରିଛନ୍ତି । ଏପରି ହତ୍ୟାକାଣ୍ଡ ପଞ୍ଜାବ ପୋଲିସର ଅପାରଗତା ବୋଲି ଦର୍ଶାଇ ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ସେହିପରି ବିଜେପି ମଧ୍ୟ AAPର ରାଜନୀତିକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରିଛି । ମାନ ଓ କେଜ୍ରିଓ୍ବାଲଙ୍କ ରାଜନୀତି ଏହି ହତ୍ୟାକାଣ୍ଡର କାରଣ ବୋଲି ବିଜେପି କହିଛି । ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରିଛି ।

ଆଜି (ରବିବାର) ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଅଜଣା ଦୁର୍ବୃତ୍ତ ସିଦ୍ଧୁଙ୍କୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସିଦ୍ଧୁଙ୍କ ସହ ଥିବା ଅନ୍ୟ 2 ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ସିଦ୍ଧୁଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ଭଗଓ୍ବନ୍ତ ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details