ମୁମ୍ବାଇ:ପୁଣି ଅଡୁଆରେ ପଡିପାରନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅପଶବ୍ଦ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ତାଙ୍କ ନାଁରେ ନାସିକ ଥାନାରେ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ର ସିନ୍ଦେ ଗୋଷ୍ଠୀ ନେତା ଯୋଗେଶ ବେଲଦାର ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ରାଉତ ଅପଶଦ୍ଦ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଦମାନ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି । ଧାରା 500 ଅଧିନରେ ନାସିକ ବଞ୍ଚବଟୀ ପୋଲିସ ଷ୍ଟେସନରେ ସଞ୍ଜୟଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଗତ ଫେବୃଆରୀ 17 ତାରିଖରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ପ୍ରଦାନ କରିଥିଲେ । ଧନୁତୀରକୁ ମଧ୍ୟ ସିନ୍ଦେ ଗୋଷ୍ଠୀ ବ୍ୟବହାର କରିପାରିବେ । ଗୋଷ୍ଠୀକୁ ଶିବସେନା ପାର୍ଟିର ମାନ୍ୟତା ମିଳିଥିବାବେଳେ ଦଳର ଚିହ୍ନ 'ଧନୁତୀର' ମିଳିଛି । ନିର୍ବାଚନ ଆୟୋଗ ଉଦ୍ଧବ ଠାକେରଙ୍କଠାରୁ ଦଳର ନାମ ସହିତ ଚିହ୍ନ ମଧ୍ୟ ଛଡାଇ ନେଇଛନ୍ତି । ଏହା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ନିର୍ବାଚନ ଆୟୋଗଙ୍କର ଏହି ନିଷ୍ପତ୍ତି ପରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ ଓ ଉଦ୍ଧବ ଠାକରେ ।
ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ, ''ଲୋକଙ୍କ ଚାଟୁକାର ଚାଲିଛି ସେମାନ ଆମକୁ ଜ୍ଞାନ ଦେଉଛନ୍ତି । ସେମାନେ ଘରକୁ ଯିବାକୁ ପ୍ରସ୍ତୁତ ନାହାନ୍ତି । ଆମେ ସେମାନଙ୍କୁ ସୁରକ୍ଷା ଦେଉନାହୁଁ । ଯଦି ଅମିତ ଶାହ ଏନେଇ ଅବଗତ ନାହାନ୍ତି ତେବେ ଶାହ ଗୃହମନ୍ତ୍ରୀ ପଦକୁ ଇସ୍ତାଫା ଦିଅନ୍ତୁ । ହିଣ୍ଡନବର୍ଗ ରିପୋର୍ଟ, କିମ ଜର୍ଜ ରିପୋର୍ଟ ସାମ୍ନାକୁ ଆସି ସାରିଛି । 2014ଠୁ ଇଭିଏମକୁ ହ୍ୟାକ କରାଯାଇଛି । ଶିବସେନା ଚିହ୍ନ ହାତେଇବାକୁ 2000 କୋଟିର ଡିଲ କରିଛି । 6 ମାସ ହେବ ଏହି ଡିଲ ଚାଲିଥିଲା । ଏହା ଶତ ପ୍ରତିଶତ ସତ୍ୟ । ଆଗକୁ ପ୍ରମାଣ ସହ ଏହାର ଖୁଲାସା ହେବ ।''