କୋଭିଡ-19ର ପ୍ରଥମ ଲହରୀରୁ ଲୋକେ ମୁକୁଳି ପାରି ନଥିବାବେଳେ ଏହାର ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ କବଜା କରି ରଖିଛି । କହିବାକୁ ଗଲେ ଏହା ଭୟର ମାହୋଲ ସୃଷ୍ଟି କରିଛି । ଡାକ୍ତରମାନେ ସ୍ପଷ୍ଟ କରି କହିସାରିଲେଣି ଯେ, କୋରୋନାର ଦ୍ବିତୀୟ ଲହରୀ ଆହୁରି ଅଧିକ ବିପଜ୍ଜନକ ।
ଏହା ଅନୁଭବ ମଧ୍ୟ କରି ହେଉଛି । ଗତବର୍ଷ ଉତ୍ତରପ୍ରଦେଶ ସ୍ଥିତି ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶେଷ ଉତ୍ସାହିତ ଥିଲେ, ହେଲେ ଏବେ ରାଜ୍ୟରେ ଦ୍ବିତୀୟ ଲହରୀ ଚାଲିଥିବା ବେଳେ ସେ ଅସହାୟ ଥିବା ଭଳି ଲକ୍ଷ୍ୟ କରାଯାଉଛି । ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍, ବେଡ୍, ଭେଣ୍ଟିଲେଟର ଏବଂ ମେଡିସିନର ଘୋର ଅଭାବ ପରିଲକ୍ଷିତ ହେଉଛି । ଫଳରେ ମୃତକଙ୍କ ସଂଖ୍ୟା ବଢିବା ସହିତ ଶ୍ମଶାନ ଏବଂ କବରସ୍ତାନ ଗୁଡିକରେ ସତ୍କାର ପାଇଁ ଶବଗୁଡ଼ିକ ବହୁ ସମୟ ଧରି ପଡ଼ିରହୁଛି।
ଲକ୍ଷ୍ନୌ: ଏବେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅକ୍ସିଜେନ କିପରି ସହଜରେ ଉପଲବ୍ଧ ହୋଇପାରିବ ତାହା ଉତ୍ତରପ୍ରଦେଶ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି, କାରଣ କୋରୋନା ଭୂତାଣୁ ସଂକ୍ରମଣରୁ ବଞ୍ଚିବାକୁ ହେଲେ ଏହାର ଆବଶ୍ୟକତା ଅଧିକ ଜରୁରୀ ହୋଇପଡ଼ିଛି । ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାକୁ ଲୋକଙ୍କୁ ଏଣେ ତେଣେ ଦୌଡ଼ିବାକୁ ପଡୁଛି । କଳା ବଜାରକାରୀ ଏହି ସ୍ଥିତିର ଭରପୁର ଫାଇଦା ଉଠାଉଛନ୍ତି । ଲୋକେ ଧାର୍ଯ୍ୟ ସରକାରୀ ଦରଠାରୁ ଅଧିକ ଦର ଦେଇ ବଜାରରୁ କିଣିବାକୁ ବାଧ୍ୟ ହେଉଛନ୍ତି । ସରକାର ଏପରି ସ୍ଥିତିରେ କିଛି କରିବା ଅବସ୍ଥାରେ ନାହାଁନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 30 ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଛି ।
ଏତେ ସଂଖ୍ୟାରେ କୋରୋନା ମାମଲା ବଢିଛି, ଫଳରେ ରାଜ୍ୟର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି । ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ସମସ୍ତ ହସ୍ପିଟାଲରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ନୂଆ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲଗୁଡ଼ିକରେ ବେଡ୍ ନାହିଁ କିମ୍ବା ଯେଉଁଠି ବି କିଛି ରହିଛି ତାହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ । ବେଡ୍ ଥିବା ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋରୋନା ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ।
ଏହି ସ୍ଥିତି କେବଳ ଯେ, ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ରହିଛି ତା ନୁହେଁ, ସାରା ରାଜ୍ୟରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ରୋଗୀ କୋଭିଡ-19 ବିରୁଦ୍ଧରେ ଲଢେଇରେ ହାରି ଯାଉଛନ୍ତି । ଯଦିଓ ଲୋକଙ୍କ ଅବହେଳା କୋରୋନା ମାମଲା ବୃଦ୍ଧି ପାଇଁ ଦାୟୀ, ତଥାପି ସରକାରୀ ବ୍ୟବସ୍ଥାରେ ତ୍ରୁଟିକୁ ଅଣଦେଖା କରାଯାଇ ପାରିବନାହିଁ । ରାଜ୍ୟରେ ଲୋକେ ଜରୁରୀ ଚିକିତ୍ସା ସେବା ପାଉ ନଥିବା ବେଳେ ଏଣେ ପୂରା ମନ୍ତ୍ରିମଣ୍ଡଳ ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳ ସମେତ ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ।
ଲକ୍ଷ୍ନୌରେ ଅକ୍ସିଜେନ ସଂଙ୍କଟ
ଲକ୍ଷ୍ନୌରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କୋଭିଡ-19 ହସ୍ପିଟାଲଗୁଡ଼ିକରେ ଅଧିକାଂଶ ବେଡ୍ ଭରି ହୋଇ ରହିଛି । ଠିକଣା ସମୟରେ ଚିକିତ୍ସା ଏବଂ ଅକ୍ସିଜେନର ଅଭାବ ଯୋଗୁଁ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଉଛି । ସହରରେ ଥିବା ଅକ୍ସିଜେନ ପ୍ଲାଣ୍ଟର ଦୈନିକ ଫିଲିଙ୍ଗ କ୍ଷମତା ସାଢେ 4 ହଜାର ସିଲିଣ୍ଡର ଥିବାବେଳେ ଚାହିଦା ସାଢେ 5 ହଜାରକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ ଲକ୍ଷ୍ନୌରେ 5,551ଟି କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ 22 ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ବାରାଣାସୀରେ କେବଳ 70 ପ୍ରତିଶତ ରୋଗୀ ଅକ୍ସିଜେନ ପାଉଛନ୍ତି
ଗତ 24 ଘଣ୍ଟା ମଧ୍ୟରେ ବାରାଣସୀରେ 1597ଟି କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେହି ସମୟରେ 1148ଟି ନୂଆ ମାମଲା ସୋମବାର ସକାଳ 11ଟା ସୁଦ୍ଧା ଚିହ୍ନଟ ହୋଇଥିଲା। ଏଠାରେ ଆକ୍ଟିଭ ମାମଲା ସଂଖ୍ୟା 16143କୁ ବୃଦ୍ଧି ପାଇଥିଲା। ସେହି ସମୟରେ ରବିବାର ସଂନ୍ଧ୍ୟା 7ଟା ସୁଦ୍ଧା 10 ଜଣ ଜୀବନ ହରାଇଥିଲେ। ଇତିମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 2011 ବେଡ୍ ପ୍ରସ୍ତୁତ କରାଯାଇଛି । ଏହାମଧ୍ୟରୁ 1200 ବେଡରେ ଅକ୍ସିଜେନ ସୁବିଧା ରହିଛି । ଅବଶ୍ୟ ଅକ୍ସିଜେନ୍ ସୁବିଧା ଥିବା ଦୃଷ୍ଟିରୁ କେବଳ 70 ପ୍ରତିଶତ ରୋଗୀ ଅକ୍ସିଜେନ ପାଇ ପାରୁଛନ୍ତି । ବର୍ତ୍ତମାନ ଚାନ୍ଦୌଳି ଅକ୍ସିଜେନ ପ୍ଲାଣ୍ଟରୁ ଯୋଗାଣ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ମିର୍ଜାପୁରରେ ଏବଂ ମଧ୍ୟପ୍ରଦେଶର ରେୱାଠାରେ ନୁଆ ପ୍ଲାଣ୍ଟ ଚାଲିଛି, ଯେଉଁଠାରୁ ଦୈନିକ 200ରୁ 300 ସିଲିଣ୍ଡର ଯୋଗାଣ ହେଉଛି । ଆଖପାଖ ଜିଲ୍ଲାଗୁଡ଼ିକରୁ ଦୈନିକ 3250 ସିଲିଣ୍ଡର ଅର୍ଡର ଆସୁଥିବା ସେ କହିଛନ୍ତି ।