ଓଡିଶା

odisha

ETV Bharat / bharat

ଶ୍ରୀନଗର-ଲେହ ହାଇଓ୍ବେରେ ଖାଇକୁ ଖସିଲା କାର: 7 ପର୍ଯ୍ୟଟକ ମୃତ - ଶ୍ରୀନଗର ଲେହ ହାଇଓ୍ବେ

ଶ୍ରୀନଗର- ଲେହ ହାଇଓ୍ବେରେ ଖାଇକୁ କାର ଖସି 7 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଯାଇଥିବା ଡ୍ରାଇଭର ଗୁରୁତର । ଅଧିକ ପଢନ୍ତୁ

ଶ୍ରୀନଗର- ଲେହ ହାଇଓ୍ବେରେ ଖାଇକୁ ଖସିଲା କାର: 7 ପର୍ଯ୍ୟଟକ ମୃତ
ଶ୍ରୀନଗର- ଲେହ ହାଇଓ୍ବେରେ ଖାଇକୁ ଖସିଲା କାର: 7 ପର୍ଯ୍ୟଟକ ମୃତ

By ETV Bharat Odisha Team

Published : Dec 5, 2023, 10:41 PM IST

ଶ୍ରୀନଗର:ତୁଷାରପାତର ଅନୁଭବ ନେବା ପାଇଁ କାଶ୍ମୀରକୁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କ ଭିଡ ଜମିଥିବା ବେଳେ ଏକ ସଡକ ଦୁର୍ଘଟଣାରେ 7 ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଆଜି (ମଙ୍ଗଳବାର) ଦିନ ଶ୍ରୀନଗର-ଲେହ ଜାତୀୟ ରାଜପଥର ଜୋଜିଲା ପାସ୍ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର ଗଭୀର ଖାଇକୁ ଖସିପଡିବାରୁ 7 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ପର୍ଯ୍ୟଟକମାନେ କାଶ୍ମୀରରୁ ଗନ୍ଦରବାଲ ଜିଲ୍ଲାର ସୋନମାର୍ଗ ଅଭିମୁଖେ ଯାଉଥିଲେ । ଏହି ସମୟରେ କୌଣସି କାରଣରୁ କାରଟି ଦୁର୍ଘଟଣାର ଶିକାର ହୋଇଥିଲା । ସ୍ଥାନୀୟ ଲୋକେ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ମାତ୍ର 7 ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ସୋନମାର୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା ପ୍ରବଳ ତୁଷାରପାତ କାରଣରୁ ଗାଡିଟି ଭାରସାମ୍ୟ ହରାଇଥିବା ସନ୍ଦେହ କରାଯାଉଛି । କାରରେ ଡ୍ରାଇଭରଙ୍କ ସମେତ 7 ପର୍ଯ୍ୟଟକଙ୍କୁ ମିଶାଇ ମୋଟ 8 ଜଣ ଥିଲେ । ତେବେ ସୌଭାଗ୍ୟବଶତଃ ଡ୍ରାଇଭର ଅଜାଜ ଅହମ୍ମଦ ଆୱାନ ବର୍ତ୍ତିଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ରହିଛନ୍ତି । ତେବେ କାରଟି ଗଭୀର ଖାଇକୁ ଖସିପଡିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ସହ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବାକୁ ପ୍ରୟାସ କରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚାଯାଇଥିଲା । କିଛି ସମୟ ବ୍ୟବଧାନ ମଧ୍ୟରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପ୍ରେମକୁ ବିରୋଧ କରୁଥିଲା ପରିବାର: ପ୍ରମିକାକୁ ଗୁଳିକରି ଜୀବନ ହାରିଲା ପ୍ରେମିକ

ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ପର୍ଯ୍ୟଟକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ସମସ୍ତଙ୍କ ପରିଚୟ ଜଣାପଡିବା ପରେ ସେମାନଙ୍କ ପରିଜନଙ୍କୁ ଯୋଗାଯୋଗ କରାଯାଇ ମୃତଦେହ ହସ୍ତାନ୍ତର କରାଯିବା ନେଇ ପୋଲିସ ପ୍ରୟାସ ଜାରି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘାଟିର ବିଭିନ୍ନ ସ୍ଥାନରେ ଚଳିତବର୍ଷର ତୁଷାରପାତ ଆରମ୍ଭ ହୋଇସାରିଛି ।ତୁଷାରପାତର ଅନୁଭବ ନେବା ପାଇଁ କାଶ୍ମୀରକୁ ଶୀତଦିନେ ଦେଶରୁ ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଭିଡ ଦେଖିବାକୁ ମିଳୁଛି । ତେବେ ମାତ୍ରାଧିକ ତୁଷାରପାତ ହେବା ଫଳରେ ରାସ୍ତାଘାଟରେ ବରଫ ଜମିରହିବା ଓ ଦୃଶ୍ୟମାନତାଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଯାହା ଦୁର୍ଘଟଣାର ଆଶଙ୍କାକୁ ବଢାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details