ଥିରୁଅନନ୍ତପୁରମ: କେରଳରେ ବଡ ଧରଣର ନୌକା ଦୁର୍ଘଟଣା । ଯାତ୍ରୀବାହୀ ଡଙ୍ଗା ବୁଡି ଯିବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି(ରବିବାର) ସନ୍ଧ୍ୟା ସମୟରେ କେରଳର ମଲପ୍ପୁରମରେ ଏହି ନୌକା ଦୁର୍ଘଟଣା ହୋଇଛି । ଡଙ୍ଗାରେ ୩୫ଜଣ ଯାତ୍ରୀ ବସିଥିବା ବେଳେ ବୁଡି ଯାଇଥିଲା ଡଙ୍ଗା । ମୃତକଙ୍କ ମଧ୍ୟରେ ୧୫ ଶିଶୁ ରହିଥିବା ଜଣାପଡିଛି । ତେବେ ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।
ସୂଚନା ଅନୁସାରେ, କେରଳ ମଲପ୍ପୁରମର ଥୁଓ୍ବାଲଥେରମରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅଘଟଣ ଘଟିଥିଲା । କିନ୍ତୁ ସଙ୍ଗେସଙ୍ଗେ ଦୁର୍ଘଟଣା ଖବର ଜଣାପଡିନଥିଲା । ପରବର୍ତ୍ତୀ ସମୟରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ରହିଥିବା ଜଣାପଡିଛି ।
ଏନେଇ ମନ୍ତ୍ରୀ ଅବଦୁରହିମନ କହିଛନ୍ତି,"ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଅନେକ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ, ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତ୍ର ସମୟ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।"
ମିଳିଥିବା ଖବର ଅନୁସାରେ, ବୋଟରେ ଓଭର ଲୋଡିଂ ପାଇଁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ଅନୁମାନ କରାଯାଇଛି । ତେବେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ପାରାପାନାଙ୍ଗଗଡି, ଥାନୁର, ତିରୁର ଏବଂ ତିରୁରଙ୍ଗଗଡିର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉକ୍ତ ଘଟଣାସ୍ଥଳରେ ଗହଳି ନକରିବା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।