ଭୋପାଲ:ରାମ ନବମୀରେ ଇନ୍ଦୋରର ବେଲେଶ୍ବର ମନ୍ଦିରରେ ବଡ ଅଘଟଣ ଘଟିଛି । ମନ୍ଦିରର ଛାତ ଭୁଶୁଡ଼ି ପଡିବା କାରଣରୁ 35 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆହତ ଅବସ୍ଥାରେ ପ୍ରାୟ 18 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜଣେ ଶ୍ରଦ୍ଧାଳୁ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଗତକାଲି(ଗୁରୁବାର) ମନ୍ଦିରକୁ ରାମ ନବମୀ ପୂଜାର୍ଚ୍ଚନା ପାଇଁ ଅପେକ୍ଷାକୃତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ସମୟରେ ମନ୍ଦିରରେ ଥିବା ଏକ କୂଅର ଛାତ ଭୁଶୁଡି ପଡିବା କାରଣରୁ ପ୍ରାୟ 30ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରାଙ୍ଗଣରେ ଥିବା ଜଳକୂପ ମଧ୍ୟକୁ ଖସି ପଡିଥିଲେ । ସ୍ଥାନୀୟ ପ୍ରଶାସନ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ଅଘଟଣ ପରେ ମନ୍ଦିରରେ ଦର୍ଶନ ବନ୍ଦ ରହିଛି ।
ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କୂଅର ଛାତ ଭୁଶୁଡି ପଡିବା କାରଣରୁ ପ୍ରାୟ 25ରୁ ଅଧିକ ଶ୍ରଦ୍ଧାଳୁ ଜଳକୂପ ମଧ୍ୟକୁ ଖସି ପଡିଥିଲେ । ସେମାନଙ୍କ ମଧ୍ୟରେ ଶିଶୁ, ମହିଳା ଓ କିଛି ବୟସ୍କ ଶ୍ରଦ୍ଧାଳୁ ମଧ୍ୟ ଥିଲେ । ଅଘଟଣ ସମ୍ପର୍କରେ ଜଣାପଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ସ୍ଥାନୀୟ ପୋଲିସ ଅପରେସନରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।