ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମେଣ୍ଟ ଟ୍ରକକୁ ପଛରୁ ଟାଟା ସୁମୋ କାର ଧକ୍କା ଦେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକ୍କାବାଲାପୁରର ଟ୍ରାଫିକ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁଯାୟୀ, ଟାଟା ସୁମୋରେ 15 ଜଣ ଲୋକ ଯାତ୍ରା କରୁଥିଲେ । ରାସ୍ତାରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟାଟାସୁମୋ । ଫଳରେ 12 ଜଣଙ୍କ ମୃତ୍ୟୁ ହୋଇଛି ଅନ୍ୟ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର । ଆନ୍ଧ୍ରପ୍ରଦେଶରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଟାଟା ସୁମୋ କାର 44 ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ଧକ୍କା ଦେଇଥିଲା ।
ସୂଚନା ଥାଉକି, ଗତ ଅକ୍ଟୋବର 24 ତାରିଖରେ ତାମିଲନାଡୁରେ ସଡକ ଦୁର୍ଘଟଣା ଘଟିଥିଲା । ସରକାରୀ ବସ୍ ଓ ଟାଟା ସୁମୋ କାର ମଧ୍ୟରେ ଦୁର୍ଘଟଣା ଘଟିବାରୁ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ। ଥିରୁବନ୍ନାମଲାଇ ଜିଲ୍ଲା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ସମୟରେ ଟାଟା ସୁମୋରେ 14 ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ 7 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ 4 ଜଣ ଗୁରୁତର ହୋଇଥିଲେ।