ଲକ୍ଷ୍ନୌ:ଅଧାରେ ରହିଲା କାଉଡି ଯାତ୍ରା । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଯାଉଥିବା ବେଳେ ଅଧାବାଟରେ ଚାଲିଗଲା କାଉଡିଆଙ୍କ ଜୀବନ । ଉତ୍ତର ପ୍ରଦେଶ ମିରଟ ଜିଲ୍ଲାର ଭବନପୁର ଅଞ୍ଚଳରେ ବଡ ଅଘଟଣ ଘଟିଯାଇଛି । ପାଣିଭାର ନେଇ ଯାଉଥିବା ବେଳେ କାଉଡିଆଙ୍କ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ୫ ଜଣ କାଉଡିଆଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ଶନିବାର) ସନ୍ଧ୍ୟାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି ।
ସୂଚନା ମୁତାବକ, କିଛି କାଉଡିଆ ଗଙ୍ଗା ନଦୀରୁ ପବିତ୍ର ଜଳ ଆଣି ହରିଦ୍ବାର ଫେରୁଥିଲେ । ଦୁର୍ଭାଗ୍ୟବଶତଃ କାଉଡିଆଙ୍କ ଡିଜେ ଗାଡି ରାଲି ଚୌହାନ ଗାଁ ନିକଟରେ ଝୁଲୁଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଏହି ସମୟରେ ଗାଡିରେ ବସିଥିବା କାଉଡିଆମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପ୍ରାୟ ୧୬ ଜଣ ଗୁରୁତର ଆହତ ହୋଇଥିଲା ।
ମୃତକଙ୍କ ମଧ୍ୟରେ ଦୁଇ ଭାଇ ଅଛନ୍ତି । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ୫ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଂକଟାପନ୍ନ ଥିବା ସୂଚନା ମିଳିଛି ।