ଓଡିଶା

odisha

ETV Bharat / bharat

ଉତ୍ତର ଭାରତରେ କୁହୁଡି କହର, ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

Dense fog covers Delhi: ଦିଲ୍ଲୀ ସମେତ ଉତ୍ତର ଭାରତରେ ଘନ କୁହୁଡିର କହର । 23ରୁ ଅଧିକ ଟ୍ରେନ ବିଳମ୍ବରେ ଗତି କରୁଥିବା ବେଳେ ଅନେକ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ..

By ETV Bharat Odisha Team

Published : Dec 31, 2023, 2:15 PM IST

ଉତ୍ତର ଭାରତରେ କୁହୁଡି କହର
ଉତ୍ତର ଭାରତରେ କୁହୁଡି କହର

ନୂଆଦିଲ୍ଲୀ: ଉତ୍ତର ଭାରତରେ କୁହୁଡିର କହର । ଘନ କୁହୁଡିର ଚାଦର ତଳେ ଢାଙ୍କି ହୋଇଛି ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ଅନେକ ଅଞ୍ଚଳ । ଜାନୁଆରୀ 4 ତାରିଖ ଯାଏଁ ଏଭଳି ସ୍ଥିତି ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ କୁହୁଡି ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘନ କୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ରବିବାର ସକାଳ ସମୟରେ ଆସାମର ଜୋରହାଟ, ପଞ୍ଜାବର ପଠାନକୋଟ ଓ ବଥିଣ୍ଡା, ଜାମ୍ମୁ, ଉତ୍ତରପ୍ରଦେଶର ଆଗ୍ରାରେ ଶୂନ ଦୃଶ୍ୟମାନ ରେକର୍ଡ କରାଯାଇଛି । ସେହିଭଳି ହରିୟାଣାର ଆମ୍ବଲା ଅଞ୍ଚଳରେ ଦୃଶ୍ୟମାନ ସ୍ତର ମାତ୍ର 25 ମିଟର ରେକର୍ଡ କରାଯାଇଛି । ସେହିଭଳି ଦିଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି ।

ତେବେ ପାହାଡିଆ ଅଞ୍ଚଳରେ ହେଉଥିବା ବରଫ ବର୍ଷାର ପ୍ରଭାବ ଦିଲ୍ଲୀ ଏନସିଆର ପାଣିପାଗ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା କମିଥିବା ଦେଖାଯାଇଛି । ଘନ କୁହୁଡି ଯୋଗୁଁ ଟ୍ରେନ ଓ ବିମାନ ଚଳାଚଳରେ ବ୍ୟାପକ ସମସ୍ୟା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦିଲ୍ଲୀକୁ ଯାତାୟତ କରୁଥିବା 23ଟି ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ଅନେକ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ଯେଉଁଥିପାଇଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ... କୁହୁଡି ପାଇଁ ରାଉରକେଲାରୁ ଉଡିପାରୁନି ବିମାନ, ଯାତ୍ରୀ ହନ୍ତସନ୍ତ

ଉତ୍ତର ରେଲଓ୍ୱେ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ସୂଚନା ଅନୁଯାୟୀ, କୁହୁଡି କାରଣରୁ ରବିବାର ଦିନ 23ରୁ ଅଧିକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୁରୀରୁ ନୂଆଦିଲ୍ଲୀ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ 7 ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ, ହାୱଡାରୁ ନୂଆ ଦିଲ୍ଲୀ ଆସୁଥିବା ଏକ୍ସପ୍ରେସ 5 ଘଣ୍ଟା ବିଳମ୍ବରେ ଗତି କରୁଛି ।

ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ ଏନସିଆର ସମେତ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶକୁ ଆଲର୍ଟ ଜାରି କରାଯାଇଛି । 2 ଦିନ ମଧ୍ୟରେ ଉତ୍ତର ଭାରତର ଅନେକ ଅଞ୍ଚଳରେ 2ରୁ 3 ଡିଗ୍ରୀ ତାପମାତ୍ରା ଖସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି(ଶନିବାର) ମଧ୍ୟ ଘନ କୁହୁଡି କାରଣରୁ 30ଟି ଟ୍ରେନ ଓ ପାଖାପାଖି 100ଟି ବିମାନ ଚଳାଚଳରେ ବାଧା ଉପୁଜିଥିଲା । ଯେଉଁଥିରେ 20ଟି ଅନ୍ତରାଷ୍ଟ୍ରୀୟ ବିମାନ ମଧ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details