ଜୟପୁର:ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହେବା ସହ 10 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ-48 ର ରତନପୁର ବର୍ଡର ନିକଟରେ ଏକ ଟ୍ରକ କ୍ରୁଜର (ଭ୍ୟାନ)କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ କ୍ରୁଜରରେ ଥିବା ଯାତ୍ରୀ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଉଦ୍ଧାର ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏବେ ସୁଦ୍ଧା 7 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ 10 ଜଣ ଆହତ ଯାତ୍ରୀ ସ୍ଥାନୀୟ ଡୁଙ୍ଗରପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ବିଛିଓ୍ବାଡା ଥାନା କ୍ଷେତ୍ରରେ ଘଟିଛି । ରତନପୁର ବର୍ଡର ନିକଟରେ ଏକ କ୍ରୁଜରକୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଫଳରେ କ୍ରୁଜରଟି ଓଲଟି ପଡିଥିଲା । କ୍ରୁଜରରେ ଥିବା ଯାତ୍ରୀ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ କରିଥିଲେ । ପୋଲିସ ଓ ମେଡିକାଲ ଟିମ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଆହତ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ପୋଲିସ ଦୁଇ ଦୁର୍ଘଟଣାଗ୍ରସ୍ତକୁ ଗାଡିକୁ ରାସ୍ତାରୁ ହଟାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଟ୍ରକଟି ମାତ୍ରାଧିକ ବେଗ ଯୋଗୁ କ୍ରୁଜରକୁ ଧକ୍କା ଦେଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।