ଜୟପୁର(ରାଜସ୍ଥାନ):ଟେମ୍ପୋକୁ ଏକ ବସ ଧକ୍କା ଦେବା ଫଳରେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ପ୍ରାୟ 6 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ରାଜସ୍ଥାନର ଦୌସା ଜିଲ୍ଲାର ମହୱା ପୋଲିସ ଷ୍ଟେସନ ଅଧୀନ ଜାତୀୟ ରାଜପଥ-21ର ମହୱା-ହିନ୍ଦନ ଗାଜିପୁର ନିକଟରେ ଘଟିଛି । ମୃତକଙ୍କ ମଧ୍ୟରେ 2ଜଣ ଟେମ୍ପୋରେ ଥିଲା ବେଳେ ଅନ୍ୟ 3 ଜଣ ରାସ୍ତାରେ ଯାଉଥିଲେ ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟେମ୍ପୋଟି ରାସ୍ତାକଡରେ ଅଟକି ରହିଥିଲା । ଏହି ସମୟରେ ଅନ୍ୟ ଗାଡିକୁ ଓଭରଟେକ କରୁଥିବା ଏକ ସରକାରୀ ବସ ଟେମ୍ପୋ ଉପରେ ମାଡି ଯାଇଥିଲା । 5 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ସେଥିମଧ୍ୟରୁ ସଙ୍କଟାପନ୍ନ ଥିବା ଜଣଙ୍କୁ ଜୟପୁରକୁ ରେଫର୍ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।
ଘଟଣା ସମ୍ପର୍କରେ ସ୍ଥାନୀୟ ମହୱା SHO ଜିତେନ୍ଦ୍ର ସୋଲାଙ୍କି କହିଛନ୍ତି, ଦୁର୍ଘଟଣା ଘଟାଇଥିବା ବସଟି ରାଜ୍ୟ ପରିବହନ ନିଗମର ଏକ ସରକାରୀ ବସ । ବସଟି ମହୱାରୁ ହିନ୍ଦନ ଅଭିମୁଖେ ଯାଉଥିଲା । ହିନ୍ଦୁନରୁ ମହୱା ଆଡକୁ ଯାଉଥିବା ଏକ ଯାତ୍ରୀ ଭର୍ତ୍ତି ଟେମ୍ପୋ ରାସ୍ତାକଡ଼ରେ ଅଟକି ରହିଥିଲା । ବସଟି ଅନ୍ୟ କୌଣସି ଗାଡିକୁ ଅତିକ୍ରମ କରି ଆଗକୁ ବଢିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଏହି ଯାତ୍ରୀ ଭର୍ତ୍ତି ଟେମ୍ପୋ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଜଣକୁ ଜୟପୁରକୁ ପଠାଯାଇଛି । ତେବେ ମୃତକଙ୍କ ମଧ୍ୟରେ 2 ଜଣ ଟେମ୍ପୋରେ ବସିଥିବା ଯାତ୍ରୀ ଓ ଅନ୍ୟ 3 ଜଣ ରାସ୍ତାରେ ଯାଉଥିବା ବ୍ୟକ୍ତି ରହିଛନ୍ତି ।