ଭୋପାଳ:ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରୁ ଫେରୁଥିବା ବେଳେ ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା । ମୋହନିଆ ଟନେଲର ବରଖାଦା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା ।
ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଅମିତ ଶାହଙ୍କ ରାଲିରେ ଯୋଗଦେଇ ଲୋକେ ବସ ଯୋଗେ ଫେରୁଥିବା ବେଳେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାର ବରଖାଦା ଗ୍ରାମ ନିକଟରେ ଦୁଇଟି ବସକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ରହିଥିବା ଦୁଇଟି ବସ ମଧ୍ୟରୁ ଗୋଟିଏ ବସ ଓଲଟି ଯାଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଜଣାପଡିଛି । ଖବରପାଇ ସ୍ଥାନୀୟ ପୋଲିସ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଟ୍ରକର ଟାୟାର ଫାଟିଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଛି ।
ଏନେଇ ରେଓ୍ବା ଏସପି ମିକେଶ ଶ୍ରୀବାସ୍ତବ ଟ୍ବିଟକରି କହିଛନ୍ତି," ଦୁଇଟି ବସ ଠିଆ ହୋଇଥିବା ବେଳେ ଟ୍ରକଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଟ୍ରକର ଟାୟାର ଫାଟିଯିବା ଯୋଗୁଁ ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ହୋଇଥିଲା । ତେବେ ୭ରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ରୁ ୨୦ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । " ଏହି ଦୁର୍ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି ।
ଅମିତ ଶାହ ଟ୍ବିଟକରି କହିଛନ୍ତି," ସିଦ୍ଧିରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଭଗବାନ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ସାହାସ ଦିଅନ୍ତୁ । ପ୍ରଶାସନ ତରଫରୁ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ମୁଁ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।"
ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟକରି କହିଛନ୍ତି, " ଏଭଳି ଦୁଃଖଦ ସମୟରେ ମୁଁ ଶୋକସନ୍ତପ ପରିବାର ସହ ରହିଛି । ସିଦ୍ଧି ଜିଲ୍ଲା ପ୍ରଶାସନ ଏବଂ ଏସିପି ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ରେୱା ମେଡିକାଲ କଲେଜ ଏବଂ ସିଦ୍ଧି ଜିଲ୍ଲା ହସ୍ପିଟାଲରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି । ସିଦ୍ଧିରେ ବସ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଇଶ୍ବର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । "
ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ହସ୍ପିଟାଲକୁ ଯାଇ ଆହତମାନଙ୍କ ଚିକିତ୍ସା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଆହତମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ସରକାରୀ ଦିଆଯିବ ବୋଲି ଘୋଷଣା କରାଯାଇଛି । ବର୍ତ୍ତମାନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି । ଏହାସହ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟଟତା ରାଶି ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ