ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ଜେରା ଜାରି ରଖିଛି । ସିବିଆଇ ମୁଖ୍ୟାଳୟରେ ଜେରା ଚାଲିଥିବା ବେଳେ ଏହାକୁ ବିରୋଧ କରି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଆପ ନେତା ଓ କର୍ମୀ । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଛି । ଏବେ ସୁଦ୍ଧା କେଜ୍ରଓ୍ବାଲଙ୍କ ଜେରା ଶେଷ ହୋଇନାହିଁ । ଦଳ ଆଜି ସଂଧ୍ୟାରେ ମଧ୍ୟ ଏକ ଜରୁରୀ ବୈଠକ ମଧ୍ୟ ଡାକିଛି । ଦଳର ଦିଲ୍ଲୀ ଆବାହକ ଗୋପାଳ ରାୟ ଏହି ଜରୁରୀ ବୈଠକରେ ଅଧ୍ୟକ୍ଷତା କରିବେ ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ଆଜି ପୂର୍ବାହ୍ନରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ । ହାଜର ହେବା ପୂର୍ବରୁ ସେ ରାଜଘାଟରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ହେଲେ ଦୀର୍ଘକାଳୀନ ଜେରା ଏବେ ନାନା ସନ୍ଦେହକୁ ଜନ୍ମ ଦେଇଛି । ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଦୀର୍ଘକାଳୀନ ଜେରା ପରେ ଗିରଫ କରିଥିଲା ସଂସ୍ଥା । ତେଣୁ କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ସେପରି ପୁନରାବୃତ୍ତି ହେବାର ଆଶଙ୍କା କରୁଛି ଦଳ । ଆଜି ଦିନ ତମାମ ଦଳର କାର୍ଯ୍ୟକର୍ତ୍ତା ସିବିଆଇ ମୁଖ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ ।