ଓଡିଶା

odisha

Acid Attack: ବିହାରରେ ଏସିଡ ମାଡ଼, ୩ ଶିଶୁଙ୍କ ସମେତ ୭ ଆହତ

By

Published : Mar 10, 2023, 10:28 PM IST

ବିହାର କଟିହାରରେ ଏସିଡ ମାଡ଼ । ଏହି ଆକ୍ରମଣରେ ପଡୋଶୀ ୩ ଶିଶୁଙ୍କ ସମେତ ମୋଟ ୭ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Acid Attack
Acid Attack

ପାଟନା: ବିହାର କଟିହାରରେ ଏସିଡ ମାଡ଼ । ଏହି ଏସିଡ ଆକ୍ରମଣରେ ମୋଟ ୭ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଶିଶୁ । ପାରିବାରିକ କଳହକୁ ନେଇ ଜଣେ ଯୁବକ ଏସିଡ ମାଡ଼ କରିଥିଲା । ଆହତ ଶିଶୁମାନଙ୍କ ଶରୀର ପୋଡ଼ିଯାଇଥିବା ବେଳେ ସେମାନେ ପଡ଼ୋଶୀ ଘରର ବୋଲି ଜଣାପଡ଼ିଛି । ତେବେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତର ନାମ ଲାଲୁ ଶାହ ବୋଲି ଜଣାପଡ଼ିଛି । ଲାଲୁ ନିଜ ଭଉଣୀ ଓ ଭିଣୋଇ ସହିତ କଳହ କରିବା ପରେ ଏସିଡ ମାଡ଼ କରିଥିଲା । କୁରସେଲା ପୋଲିସ ଷ୍ଟେସନର ୱାର୍ଡ ନମ୍ବର ୧୬ରେ ଘଟିଛି ଏପରି ଘଟଣା । ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଲାଲୁ କ୍ରୋଧରେ ଜର୍ଜରିତ ହୋଇ ନିଜ ଭଉଣୀ ଓ ଭିଣୋଇ ସହିତ ଝଗଡ଼ା କରିଥିଲା । ଏହାପରେ ହଠାତ ଘର ଭିତରକୁ ପଶିଯାଇ ହାତରେ ଏକ ବୋତଲ ଧରି ଆସିଥିଲା । ଏହାପରେ ନିଜ ଭଉଣୀ ସହ ଆଖପାଖରେ ଯିଏ ବି ଥିଲେ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲା । ଏଥିରେ ଅଭିଯୁକ୍ତର ମାଆଙ୍କ ସହ ଅନ୍ୟ ପରିବାରର ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ- ହୋଲି ଖେଳିବାକୁ ମନା କଲା ବାପା, ଝିଅକୁ ଗୁଳି କରି ହତ୍ୟା

ଯେତେବେଳେ ପରିବାର ମଧ୍ୟରେ ଝଗଡ଼ା ଚାଲିଥିଲା ଉକ୍ତ ସ୍ଥାନରେ ପଡ଼ୋଶୀମାନେ ମଧ୍ୟ ରୁଣ୍ଡ ହୋଇଯାଇଥିଲେ । ଫଳରେ ସେମାନେ ମଧ୍ୟ ଏସିଡ ମାଡର ଶିକାର ହୋଇଛନ୍ତି । ସେଠାରେ ଉପସ୍ଥିତ ଥିବା ୩ ନିରୀହ ଶିଶୁ ଆହତ ହୋଇଛନ୍ତି । ଆହତଙ୍କ ଶରୀର ମାରାତ୍ମକ ଏସିଡ ପ୍ରଭାବରେ ଆସି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି । ଏନେଇ ଆହତ ହୋଇଥିବା ଶିଶୁଙ୍କ ପିତାମାତା କହିଛନ୍ତି, "ଲାଲୁ ନିଜ ପରିବାର ସହିତ ଝଗଡ଼ା କରୁଥିବା ବେଳେ ଜୋରରେ ଶବ୍ଦ ଶୁଣାଯାଇଥିଲା । ଏହା ଶୁଣି ଛୋଟ ଛୋଟ ପିଲାମାନେ ଏଠାକୁ ଆସିଥିଲେ । ଏହି ସମୟରେ ସେମାନେ ଏସିଡ ମାଡ଼ର ଶିକାର ହୋଇଛନ୍ତି ।"

ସ୍ଥାନୀୟ ବାସିନ୍ଦା ଚମେଲି ଦେବୀ କହିଛନ୍ତି ଯେ ତାଙ୍କ ପୁଅ ମଧ୍ୟ ଏସିଡ ଆକ୍ରମଣରେ ଗୁରୁତର ହୋଇଛି । ତାକୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁରସେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି । ସ୍ଥାନୀୟ ବାସିନ୍ଦା ଓ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କ ବୟାନ ରେକର୍ଡ ହୋଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି କୁରସେଲା ପୋଲିସ ଷ୍ଟେସନର ମୁଖ୍ୟ ରାଜେଶ କୁମାର କହିଛନ୍ତି ।

ABOUT THE AUTHOR

...view details