ନୂଆଦିଲ୍ଲୀ: ଦିଲ୍ଲୀ ସିଙ୍ଘୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦୀର୍ଘ 6 ମାସ ଧରି ଆନ୍ଦୋଳନ କରୁଥିବା ଚାଷୀ ଆଜି(ବୁଧବାର) କଳା ଦିବସ ଭାବେ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।
ତେବେ 3ଟି କୃଷି ଆଇନକୁ ବିରୋଧ କରି ଆଜି ସକାଳେ ସିଙ୍ଘୁ ସୀମାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଅନ୍ୟପଟେ କୋରୋନାର ଦ୍ବିତୀୟ ଲହର ଦେଶକୁ ଅସ୍ତବ୍ୟସ୍ତ କରି ଥିବାବେଳେ ଜନସମାଗମ ଏକ ପ୍ରକାର ବିପତ୍ତି ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି । ଫଳରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଚିନ୍ମୟ ବିଶ୍ବାଳ କହିଛନ୍ତି ଯେ, 'ଆମେ ଲୋକଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ଅନୁରୋଧ କରିବା ସହ ଏକାଠି ନହେବାକୁ ପରାମର୍ଶ ଦେଇଛୁ । କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପ କିମ୍ବା ବିନା ଅନୁମତିରେ ସୀମା ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।'